ଚଳିତ ଅକ୍ଟୋବର ୨୫ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ବର୍ଷର ଏକମାତ୍ର ସୂର୍ଯ୍ୟପରାଗ ସଂଘଟିତ ହେଉଅଛି । ସୂର୍ଯ୍ୟପରାଗର ସର୍ବମୋକ୍ଷ ପୂର୍ବରୁ ସୂର୍ଯ୍ୟାସ୍ତ ହେଉଥିବାରୁ ଏହା ଗ୍ରସ୍ତାସ୍ତ ସୂର୍ଯ୍ୟପରାଗ । ଏଣୁ ୨୫ ତାରିଖ ମଙ୍ଗଳବାର ପୁରୀଠାରେ ସଂଧ୍ୟା ୫ଟା ୧୭ ମିନିଟରେ ସୂର୍ଯ୍ୟାପରାଗ ମୋକ୍ଷ ହେଉଥିଲେ ମଧ୍ୟ ସଂଧ୍ୟା ୫ଟା ୧୬ ମିନିଟରେ ସୂର୍ଯ୍ୟାସ୍ଥ ହେଉଥିବାରୁ ସୂର୍ଯ୍ୟାପରାଗ ମୋକ୍ଷ ଦର୍ଶନ ହେବନାହିଁ ।
ତେଣୁ ଅକ୍ଟୋବର ୨୬ ତାରିଖ ବୁଧବାର ପ୍ରାତଃ ୫ଟା ୪୬ମିନିଟରେ ସୂର୍ଯ୍ୟାଦୟ ପରେ ସ୍ନାନାଦିସାରି ଦେବନୀତି ଓ ପରେ ପାକକର୍ମ କରି ଅନ୍ନଭୋଜନାଦି କରାଯିବ । ପୁରୀଠାରେ ସୂର୍ଯ୍ୟାପରାଗ ଦିବା ୪ଟା ୫୭ମିନିଟ୍ ୪୫ସେକେଣ୍ଡରେ ସ୍ପର୍ଶ କରୁଥିବାରୁ ଶାସ୍ତ୍ରମତେ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ୨୪ତାରିଖ ସୋମବାର ରାତି ୪ଟା ୫୮ ମିନିଟ୍ ଠାରୁ ୨୬ତାରିଖ ବୁଧବାର ପ୍ରାତଃ ୫ଟା ୪୬ ମିନିଟ୍ ପର୍ଯ୍ୟନ୍ତ ପାକକର୍ମ ଅନ୍ନଭୋଜନାଦି ସହ ୨୫ରେ କାର୍ତ୍ତିକ ଅମାବାସ୍ୟା ଦିନ ବର୍ଷର ଏକମାତ୍ର ସୂର୍ଯ୍ୟୋପରାଗ ଦେବନୀତି ନିଷେଧ ହେବ ।
ଏହି ସମୟ ମଧ୍ୟରେ ବୃଦ୍ଧ ବାଳକ ରୋଗୀମାନଙ୍କ ପକ୍ଷେ ନିୟମ ଲଂଘନୀୟ ହୋଇପାରେ । କୌଣସି ଗର୍ଭିଣୀ ଉକ୍ତ ସମୟରେ ସୂର୍ଯ୍ୟୋପରାଗକୁ ନଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀ ବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍ । ଏଣୁ ସୋମବାର ୨୪ତାରିଖ ରାତ୍ରି ୪ଟା ୫୮ମିନିଟ୍ ପୂର୍ବରୁ ପାକକର୍ମ ଅନ୍ନଭୋଜନଦି ସହ ଦେବନୀତି ସାରିବାକୁ ହେବ ।
ଅକ୍ଟୋବର ୨୪ତାରିଖ ମଙ୍ଗଳବାର ଅମାବାସ୍ୟା ତିଥି ସଂଧ୍ୟା ୫ଟା ୨୭ମିନିଟ ଠାରୁ ଭୋଗ ହେଉଥିବାରୁ, ୨୪ ତାରିଖରେ ଶ୍ରୀଶ୍ୟାମାକାଳୀ ପୂଜା, ଦୀପାବଳି, ପୟାଶ୍ରାଦ୍ଧ ପାଳନ କରାଯିବ । ଏଥିସହିତ ଅମାବାସ୍ୟାର ଶ୍ରାଦ୍ଧ ୨୫ତାରିଖ ବୁଧବାରରେ ଆମଦ୍ରବ୍ୟ(ଶୁଷ୍କ ଦ୍ରବ୍ୟ)ରେ କିମ୍ବା ସୁବର୍ଣ୍ଣରେ ଶ୍ରାଦ୍ଧ କରାଯିବ । ଭାରତ ତଥା ଓଡିଶାରେ ସୂର୍ଯ୍ୟାସ୍ତ ବେଳକୁ ସର୍ବମୋକ୍ଷ ହୋଇନଥିବାରୁ ତା ୨୬. ୧୦. ୨୨ ବୁଧବାର ସୂର୍ଯ୍ୟୋଦୟ ପରେ ସ୍ନାନାଦି କର୍ମ ଦେବପୂଜା ନୀତି କରାଯାଇ ଭୋଜନାଦି କରାଯିବ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତ ବ୍ୟତୀତ ୟୁରୋପ ମଧ୍ୟଏସୀୟ ପଶ୍ଚିମ ଏସୀୟ ଉତ୍ତରପୂର୍ବ ଆଫ୍ରିକୀୟ ଦେଶମାନଙ୍କରେ ଦୃଶ୍ୟମାନ ହେବ ।
