କେନ୍ଦ୍ରାପଡା,୨୧/୮ : ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ଉଭୟ ସରକାର ଉପରଠାଉରିଆ ଭାବେ ଜନତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କଥା ଚିନ୍ତା କରୁଥିବା ବେଳେ ସାଧାରଣରେ ଉତ୍ତମ ପାନୀୟ ଜଳ ବ୍ୟବସ୍ଥା କରିବାରେ ବିଫଳ ହେଉଥିବାର ନଗ୍ନ ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଳାରେ ଦେଖିବାକୁ ମିଳିଛି l ଜିଲ୍ଲାର ସଦର କେନ୍ଦ୍ରାପଡା ବ୍ଲକ ଯମଧରା ପଂଚାୟତ ପାଣ୍ଡିରୀ ଗାଁ ଦଳିତ ବସ୍ତିର ନଳକୂପଟି ସାହି ଲୋକଙ୍କର ନିର୍ଭର ଯୋଗ୍ୟ ପାନୀୟ ଜଳ ଉତ୍ସ ହୋଇଥିଲେ ହେଁ ଦୂଷିତ ପରିବେଶ ଜଳର ବିଶୁଦ୍ଧତାରେ ଅନ୍ତରାୟ ସୃଷ୍ଟି କରିଛି ଲ ସମ୍ପୃକ୍ତ ନଳକୂପର ଚତୁଃପାର୍ଶ୍ଵ ଓ ଯାତାୟତ ପଥ ସଦା ସର୍ବଦା ଜଳମଗ୍ନ ରହୁଥିବାରୁ ନଳକୂପରୁ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ ସମ୍ଭବ ହେଉନି l ନଳକୂପ ଜଳମଗ୍ନ ରହିବା ନେଇ ସାହିର ଲୋକେ ବର୍ଷା ଦିନ ପୂର୍ବରୁ ପ୍ରଶାସନକୁ ଜଣାଇଥିଲେ ବି ଏଯାବତ ପ୍ରଶାସନ ଜଳ ନିଷ୍କାସନ କଥା ନା ଧରୁନି l ଦିନ ପରେ ଦିନ ଗଡିଚାଲୁଥିବା ବେଳେ ସାହିର ଲୋକେ ଅଳିଆ ଆବର୍ଜନା ପରିବେଶ ଯୁକ୍ତ ନଳକୂପରୁ ପାନୀୟ ଜଳ ପାନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଦୂଷିତ ପାଣିରେ ଯାତାୟତ କରି ଚର୍ମ ରୋଗରେ ସଂକ୍ରମିତ ହେଉଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଦଳିତ ବସ୍ତିର ଲୋକେ ଆଗାମୀ ଦିନରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି l

ସେହିପରି ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରlଇ ଗ୍ରାମରେ ଅବସ୍ଥିତ ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘ ୨୫ ଦିନ ହେବ ଅଚଳ ହୋଇପଡିଛି l ଜଳ ପ୍ରକଳ୍ପ ମରାମତି ପାଇଁ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଉନଥିବାରୁ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଶାସନିକ କଳ ଅବଗତ ହେବାର ବହୁଦିନ ପରେ ବି ମରାମତି ଅଭାବରୁ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାର ଜଣାପଡିଛି l କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସୁଦୂର ଭଦ୍ରକ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ନେଇ ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନେଇ କଳବଳ ଓ କୌଶଳ ସମସ୍ତ ପ୍ରୟୋଗ କରୁଛି l କିନ୍ତୁ ନିଜ ଜିଲ୍ଲାରେ ଅଚଳ ଜଳ ପ୍ରକଳ୍ପକୁ ସଚଳ କରିବା ଓ ଦୂଷିତ ପାନୀୟ ଜଳ ଉତ୍ସକୁ ବିଶୁଦ୍ଧ କରିବା ପ୍ରତି ଦୃଷ୍ଟି ନଦେବା ଜିଲ୍ଲା ବାସୀଙ୍କ ପାଇଁ ବିଶେଷ ଦୁଃଖ ଓ ପରିତାପର ବିଷୟ ପାଲଟିଛି l ସ୍ଥାନୀୟ ଜିଲ୍ଲା ପ୍ରଶାସନିକ କଳର ପଡୋଶୀ ଜିଲ୍ଲା ଭଦ୍ରକ ପ୍ରତି ଦରଦୀ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l