କଳାପଡ଼ା,୬/୮ : କେନ୍ଦ୍ରାପଡ଼ାକୁ କିଛି ଦଶନ୍ଧି ଧରି ନିଜ ଦଖଲରେ ରଖିଥିବା ବିଜେଡିର ନିୟନ୍ତ୍ରଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଶାସକ ବିଜେପିର ଆଧିପତ୍ୟ ବଢୁଛି । ଯେଉଁଭଳି ଭାରେ ଏଠାରେ ବିଜେଡି ଗଡ଼ ଭାଙ୍ଗି ଚାଲିଛି, ସେହି ଧାରା ଜାରି ରହିଲେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲା ସମ୍ପୁର୍ଣ୍ଣ ବିଜେପି ହାତକୁ ଚାଲିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜୁ ପଟ୍ଟନାୟକଙ୍କ ଗଡ଼ରେ ବିଜେପିର ବାଜିମାତ ବିଜେଡିକୁ ଦୁର୍ବଳ କରିଚାଲିଛି । ବିଜେଡିର ଅନେକ ଆଗଧାଡ଼ିର କର୍ମୀ ବିଜେପିରେ ସାମିଲ ହେଉଛନ୍ତି । ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଅନ୍ୟ ଦଳର କର୍ମୀଙ୍କୁ ନିଜ ଆଡ଼କୁ ଟାଣିବାରେ ସଫଳ ହେଉଥିବା ଦେଖାଯାଉଛି । ଗତ ନିର୍ବାଚନରେ ବିଜେଡି ସରକାରରେ ଏକାଧିକବାର ମନ୍ତ୍ରୀପଦ ପାଇଥିବା ଅତନୁ ସବ୍ୟସାଚୀ ୩୪ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଡ. ଦୁର୍ଗାପ୍ରସନ୍ନ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେତି ଦଖଲରେ ଥିବା ମହାକାଳପଡ଼ା ପଞ୍ଚାୟତ ସମିତିକୁ ଅନାସ୍ଥା ଜରିଆରେ ବିଜେପି ଦଖଲ କଲା । ୮୦ ପ୍ରତିଶତ ନିଜେଡି ସମର୍ଥକ ସମିତିସଭ୍ୟ ଓ ସରପଞ୍ଚ ନିକଟରେ ବିଜେପିରେ ସାମିଲ ହୋଇଗଲେ । ଏହି ବିଧାନସଭା କ୍ଷେତ୍ରର ତୁଙ୍ଗ ନେତା ପ୍ରଫୁଲ୍ଲ ଦାସ ନିଜେଡି ଛାଡ଼ି ପଦ୍ମ ଧରିଛନ୍ତି ।
ସେହିପରି ବିଜେଡିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଭାପତି ଶ୍ରୀଧର ସ୍ୱାଇଁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜେଡି ସମର୍ଥିତ ପ୍ରଭାବଶାଳୀ ସଙ୍ଗଠକ ଭାଗବତ ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ରାଜନଗର ନିର୍ବାଚନମଣ୍ଡଳୀରୁ ଆଗ ଧାଡ଼ିର ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ ପୂର୍ବତନ ଉପନଗରପାଳ ଜୟନ୍ତୀ ଲେଙ୍କା, କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ଉପସଭାପତି ହାଡ଼ିବନ୍ଧୁ ସିଂହ, ବିଜେଡି ନେତା ଅଶୋକ ଲେଙ୍କା ବିଜେପିରେ ସାମିଲ ହୋଇଛନ୍ତି । ଦିନ ଥିଲା ବିଜେପିକୁ ବିଜୁ ବିରୋଧ କରୁଥିଲେ କିନ୍ତୁ ତାଙ୍କରି ଗଡ଼ରେ ଏବେ ବିଜେପି ରାଜ କରୁଛି। ଯାହା ବିଜେଡି ନେତାଙ୍କୁ ଶଙ୍କାରେ ପକାଇଛି ବୋଲି ରାଜନୀତି ବିଶାରଦ ମତ ଦେଇଛନ୍ତି।
ରାଜନୈତିକ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଏକ ସଚେତନ ଜିଲ୍ଲା ଭାବେ ପରିଚିତ ଥିବା ବେଳେ ଏହି ସଂସଦୀୟ କ୍ଷେତ୍ର ଅଣ କଂଗ୍ରେସ ଗଡ଼ ଭାବେ ବେଶ ଜଣାଶୁଣା। ସୁରେନ୍ଦ୍ର ନାଥ ବିବେଦୀ, ବିଜୁ ପଟ୍ଟନାୟକ, ରବି ରାୟ , ଶ୍ରୀକାନ୍ତ ଜେନା, ପ୍ରଭାତ ସାମନ୍ତରାୟ, ବିଜୟ ମହାପାତ୍ର, ନଳିନୀ ମହାନ୍ତି , ବୈଜଯନ୍ତ ପଣ୍ଡାଙ୍କ ଭଳି ପ୍ରମୁଖ ରାଜନେତାଙ୍କୁ ଭେଟି ଦେଉଛି ଏହି ଜିଲା। ଏହି କ୍ଷେତ୍ରରେ ଥରେ ମାତ୍ର କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ସବୁ ସମୟରେ ଅଣ କଂଗ୍ରେସ ଦଖଲରେ ରହିଛି ।
ଦୀର୍ଘଦିନ ଧରି ବିଜୁ ବାବୁଙ୍କ ନିୟନ୍ତ୍ରଣରେ ଥିବା ଏହି ଲୋକସଭା କ୍ଷେତ୍ର ଗତ ସାଧାରଣ ନିର୍ବାଚନରେ ବିଜେପି ହାତକୁ ଚାଲିଗଲା । ଥରେ ମାତ୍ର କ୍ଷେତ୍ରରେ କଂଗ୍ରେସ ବିଜୟୀ ହୋଇଥିଲା । ୧୯୭୭ ମସିହା ନିର୍ବାଚନରେ ଓଡ଼ିଶାର ୨୧ଟି ସଂସତୀୟ କ୍ଷେତ୍ରରେ ୨୦ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ବିଜୁ ପଟ୍ଟନାୟକ କେବଳ କେନ୍ଦ୍ରାପଡ଼ା ସଂସଦାୟ କ୍ଷେତ୍ରରେ ଜନତା ପାର୍ଟିରୁ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ବିଜୁ ପଟ୍ଟନାୟକ, ରବି ରାୟ, ଶ୍ରୀକାନ୍ତ ଜେନା, ପ୍ରଭାତ ସାମନ୍ତରାୟ, ଅର୍ଜନା ନାୟକ, ବୈଜଯନ୍ତ୍ର ପଣ୍ଡା ଅନୁଭବ ମହାନ୍ତି ପ୍ରମୁଖ ଏହି ଆସନରୁ ବିଜୟୀ ହୋଇଥିଲେ । ଦେବେ ୨୦୨୪ ରେ ଏହି ସଂସଦୀୟ କ୍ଷେତ୍ର ବିଜେପି ହାତକୁ ଚାଲିଗଲା। ତଥାପି ଜିଲାର ୫ଟି ବିଧାନସଭା କ୍ଷେତ୍ରରୁ ୪ଟି ବିଜେଡି ହାତରେ ରହିଛି । ହେଲେ ଏବେ କେନ୍ଦ୍ରାପଡ଼ାରେ ବିଜେପି ସକ୍ରିୟ ହେଉଥିବା ଲକ୍ଷ୍ୟ କରାଯାଉଛି ।