କେନ୍ଦ୍ରାପଡା, ୨୪/୪ : କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ବଡିହି ପଂଚାୟତସ୍ଥ କାକଟପୁର ଗାଁର କାର୍ତ୍ତିକ ସ୍ବାଇଁଙ୍କ ଘରେ ଚଳିତ ମାସ ୯ ତାରିଖ ଦିନ ବିଳମ୍ବିତ ରାତ୍ରିରେ ଘଟିଥିବା ଡକାୟତି ଘଟଣାରେ କେନ୍ଦ୍ରାପଡା ପୋଲିସ ୯ଜଣିଆ ଡକାୟତି ଗ୍ୟାଙ୍ଗ ଓ ଡକାୟତି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆହୁରି ମଧ୍ୟ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ମଡକର ସନ୍ଦିପ ସମ୍ପଦ । ଏହି ଗ୍ୟାଙ୍ଗର ୬ ଜଣ ୯ ତାରିଖରେ କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି, ଭୁଜାଲିରେ କାର୍ତ୍ତିକ ସ୍ବାଇଁ ଙ୍କୁ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣକରିଥିଲେ । ବନ୍ଧୁକରୁ ଗୁଳି ଚଳାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ଓ ଏକ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଡକାୟତି କରି ଫେରାର ହୋଇଯାଉଥିବା ସମୟରେ ସାହସର ସହିତ ସ୍ଥାନୀୟ ଲୋକମାନେ ଦୁଇଜଣ ଡକାୟତଙ୍କୁ ବନ୍ଧୁକ ସହିତ କାବୁ କରିନେଇ ପରବର୍ତ୍ତୀ ସମୟରେ ପୋଲିସର ଜିମା ଦେଇଥିଲେ । ଏହି ଦୁଇ ଜଣଙ୍କୁ ପୋଲିସ ହେପାଜତକୁ ନେଇ ସନ୍ଧାନ ଜାରି ରଖିବାରୁ ଏହି ଗ୍ୟାଙ୍ଗର ଆଉ ୭ ଜଣଙ୍କୁ ଗିରଫ କରିଛି । କାର୍ତ୍ତିକଙ୍କ ଘରେ ୬ ଜଣ ଡକାୟତି କରିଥିବା ବେଳେ ଅନ୍ୟ ୩ଜଣ ଏମାନଙ୍କୁ ବନ୍ଧୁକ ଭୁଜାଲି ସହାୟତା କରିଥିଲେ । ସେହିଭଳି ୭ ଜଣ ଲୋକ ଏମାନଙ୍କ ଠାରୁ ସୁନା ରୂପା ଅଳଙ୍କାର କିଣି ପରୋକ୍ଷ ଚୋରିରେ ସମ୍ପୃକ୍ତି ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ବାଲିପାଟଣା ଗାଁର ଲିପୁ ଓରଫ ସୁଶାନ୍ତ ସାହୁ କାକଟପୁର ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି । ଲିପୁଙ୍କ ନାମରେ ଓଡିଶାର ବିଭିନ୍ନ ଜିଲ୍ଲାରେ ୫୨ଟି ମାମଲା ରହିଛି । ଏହି ଗ୍ୟାଙ୍ଗର ଅନ୍ୟ ୮ ଜଣ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳ ବଡପାଳ ଗାଁର ଚିତନ ଓରଫ ଭକ୍ତିପ୍ରସାଦ ରାଉତ, ମହାକାଳପଡା ଥାନା ଜଗତି ଗାଁର ପ୍ରତାପ ମଳିକ, କେନ୍ଦ୍ରାପଡା ଟାଉନଥାନା ଗୌଡଗୋପ ଗାଁର ସେକ୍ ଲତିଫ, କଟକ ସହର ଲାଲବାଗଥାନା କାଳିଗଳିର ସେକ ଫିରୋଜ୍, ଗଞ୍ଜାମ ଜିଲ୍ଲା ପାଟପୁର ଥାନା କୁଲାଡି ଗାଁର କେଦାର ଦୋରା, କେନ୍ଦ୍ରାପଡା ସଦରଥାନା ଖସାପଡିଆ ଗାଁର ପାକନ ଓରଫ ଜୟଦେବ ସାହୁ, କେନ୍ଦ୍ରାପଡା ସଦରଥାନା ହଳଦିଆ ଗାଁର ଜାକିର୍ ଖାଁ, କେନ୍ଦ୍ରାପଡା ଜିଲ୍ଲା ପାଟକୁରାଥାନା କଳାବୁଦା ଗାଁର ବିମଳ ପ୍ରସାଦ ଦାସ । ଏମାନଙ୍କ ଠାରୁ ପୋଲିସ ଦୁଇଟି ଗୁଳିଭର୍ତ୍ତି ବନ୍ଧୁକ, ଦୁଇଟି ବାଇକ୍, ଦୁଇଟି ଭୁଜଲି ଜବତ କରିଛି l ଏତଦ ବ୍ୟତୀତ କାକଟ ପୁର ଡକାୟତି ଘଟଣାରେ ଦୁଇ ଡକାୟତ ଙ୍କୁ କାବୁ କରିଥିବା ସାହସୀ ଗ୍ରାମବାସୀଙ୍କୁ ଏସପି ପୁରସ୍କୃତ କରିଛନ୍ତି l