ଭାରତରେ ଅଛି ଲକ୍ଷ ଲକ୍ଷ ମନ୍ଦିର । ମନ୍ଦିରମାନଙ୍କ ଇତିହାସ ବହୁ ପୁରୁଣା। ଏମିତି ବି ଅନେକ ମନ୍ଦିର ଅଛି ଯାହା ଆଜି ଯାଏଁ ମଧ୍ୟ ରହସ୍ୟ ହୋଇ ରହିଛି। ମନ୍ଦିରମାନଙ୍କର ରହସ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଝାରଖଣ୍ଡରେ ଅବସ୍ଥିତ ବୈଦ୍ୟନାଥ ଶିବ ମନ୍ଦିରକୁ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଦକ୍ଷିଣ ଭାରତର ଏକ ମନ୍ଦିର ମଧ୍ୟ ଏହିଭଳି ରହସ୍ୟମୟୀ। ଏହି ମନ୍ଦିର କେତୁଙ୍କୁ ସମର୍ପିତ। ଏହି ମନ୍ଦିରରେ କ୍ଷୀର ଅର୍ପଣ କଲେ କ୍ଷୀର ରଙ୍ଗ ନୀଳ ହୋଇଯାଏ।
ଏହି ରହସ୍ୟମୟୀ ମନ୍ଦିର କେରଳର କାବେରୀ ନଦୀ କୂଳରେ ଅବସ୍ଥିତ। କିଜାପେରୁମପଲ୍ଲମ ଗାଁରେ ଥିବା ଏହି ମନ୍ଦିର ନାଗନାଥସ୍ୱାମୀ ବା କେତି ସ୍ଥଳ ଭାବେ ଜଣାଶୁଣା। ଏହି ମନ୍ଦିରରେ ଭଗବାନ ଶିବ ପୂଜା ପାଆନ୍ତି। ଏହି ମନ୍ଦିରରେ ରାହୁ ଓ କେତୁଙ୍କ ପ୍ରତିମା ମଧ୍ୟ ସ୍ଥାପିତ। ଏହି ମନ୍ଦିରରେ ରାହୁଙ୍କୁ କ୍ଷୀର ଅର୍ପଣ କରାଯାଏ। କେତୁ ଦୋଷରେ ପୀଡିତ ବ୍ୟକ୍ତି ରାହୁଙ୍କୁ କ୍ଷୀର ଅର୍ପଣ କଲେ କ୍ଷୀରର ରଙ୍ଗ ବଳାଇ ନୀଳ ହୋଇଯାଏ।
ପୌରାଣିକ କଥା ଅନୁସାରେ ଋଷିଙ୍କ ଅଭିଶାପରୁ ମୁକ୍ତି ପାଇବାକୁ କେତୁ ଏହି ମନ୍ଦିରରେ ଶିବଙ୍କୁ ପ୍ରସନ୍ନ କରିବାକୁ ଆରାଧନା କରିଥିଲେ। ଶିବରାତ୍ରି ଦିନ ଭଗବାନ ଶିବ କେତୁଙ୍କୁ ଦର୍ଶନ ଦେଇଥିଲେ ଓ କେତୁଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ ବୋଲି ବିଶ୍ୱାସ ରହିଛି। କେତୁଙ୍କୁ ସାପ ଦେବତା ମଧ୍ୟ କୁହାଯାଏ କାରଣ ତାଙ୍କ ମୁଣ୍ଡ ମନୁଷ୍ୟର ଏବଂ ଶରୀର ସାପର।
ଜ୍ୟୋତିଷଶାସ୍ତ୍ରରେ ରାହୁ ଓ କେତୁକୁ ଛାୟା ଗ୍ରହ ବୋଲି କୁହାଯାଏ। ୯ ଗ୍ରହମାନଙ୍କ ମଧ୍ୟରେ ରାହୁ ଓ କେତୁ ମଧ୍ୟ ରହିଛି। ୯ ଗ୍ରହ ମଧ୍ୟରେ ବୃହସ୍ପତି, ଶନି, ଶୁକ୍ର, ଚନ୍ଦ୍ରମା, ବୁଧ, ମଙ୍ଗଳ ଓ ସୂର୍ଯ୍ୟ ସାମିଲ। ପ୍ରତ୍ୟେକ ଗ୍ରହର ସ୍ୱଭାବ ଭିନ୍ନ ଭିନ୍ନ। ଏହାର ପ୍ରଭାବ କୁଣ୍ଡଳୀ ଉପରେ ପଡିଥାଏ।
Comments are closed.