ରାୟପୁର,୨୫/୨: ଛତିଶଗଡର ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସମ୍ମିଳନୀରେ ଲୋକସଭା ନିର୍ବାଚନରେ ବିରୋଧୀ ଏକତା ଏବଂ ତୃତୀୟ ମେଣ୍ଟକୁ ନେଇ କଂଗ୍ରେସ ଏକ ବଡ଼ ବିବୃତ୍ତି ଦେଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର କହିଛନ୍ତି ଯେ ଦେଶରେ ତୃତୀୟ ମେଣ୍ଟ ହେଲେ ବିଜେପିକୁ ବେଶୀ ସାହାଯ୍ୟ ମିଳିବ । କଂଗ୍ରେସ ଦଳ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ସମାନ ବିଚାରଧାରା ଥିବା ଦଳ ସହ ମିଶି ଲଢ଼ିବାକୁ ଚାହୁଁଛି । ଦଳର ୮୫ତମ ମହାଧିବେସନରେ ସେ କହିଛନ୍ତି ଯେ ଦେଶକୁ ଭାଙ୍ଗିବାକୁ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି ଏବଂ ସରକାରରେ ଥିବା ଲୋକଙ୍କ ଡିଏନ୍ଏ ଗରିବ ବିରୋଧୀ ବୋଲି ସେ କହିଛନ୍ତି। ବାସ୍ତବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗାମୀ ଦିନରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ଲାଗିପଡିଛନ୍ତି ।
ଏଭଳି ପରିସ୍ଥିତିରେ କଂଗ୍ରେସ ଏହି ମିଳିତ ମଞ୍ଚରେ ରହିବ ନା ଏହା ବିନା ଗଠନ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଖଡ଼ଗେ ଦରବୃଦ୍ଧି, ବେକାରୀ ଏବଂ ଜାତୀୟ ସୁରକ୍ଷାକୁ ନେଇ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଦେଶର ଗଣତନ୍ତ୍ରକୁ ଭାଙ୍ଗିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି ଏବଂ ଏହା ବିରୋଧରେ ଏକ ଆନ୍ଦୋଳନ କରାଯିବ । ଖଡ଼ଗେ କହିଛନ୍ତି, ‘ଆଜି କ୍ଷମତାରେ ବସିଥିବା ଲୋକମାନେ ଲୋକଙ୍କ ଅଧିକାର ଉପରେ ଆକ୍ରମଣ କରୁଛନ୍ତି, ଆଜି ସମସ୍ତଙ୍କୁ ‘ସେବା, ସଂଗ୍ରାମ ଏବଂ ବଳିଦାନ ସହ ସର୍ବପ୍ରଥମେ ଭାରତ’ର ସଂକଳ୍ପ ନେବାକୁ ପଡ଼ିବ। ସେ କହିଛନ୍ତି ଯେ ଆଜି ଦେଶ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି।