ଭୁବନେଶ୍ବର,୭/୧ : ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ଫିକା ପଡ଼ିଥିବା ଖଣ୍ଡଗିରି ମାଘମେଳା ଏଥର ଅନୁଷ୍ଠିତ ହେବ। ପାହାଡ ଉପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ବିଶ୍ବଶାନ୍ତି ଯଜ୍ଞରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଏହାସହ ପାହାଡ ତଳେ ରାଜ୍ୟର ବିଭିନ୍ନ ଯାତ୍ରା ଅନୁଷ୍ଠାନ ପକ୍ଷରୁ ପରିବେଷଣ ହେବ ଏବର୍ଷର ନୂଆ ନୂଆ ନାଟକ । ଏଥି ସହିତ ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି ମାଘମେଳାରେ ଅଢେଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିବ। ଲୋକମାନେ ଗତ ଦୁଇବର୍ଷ ଧରି ମେଳାକୁ ଉପଭୋଗ କରିପାରିନଥିବା ବେଳେ ଚଳିତ ବର୍ଷ ମନଭରି ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀମାନ କିଣାକିଣି କରିପାରିବେ।
ଏନେଇ ଆଜି ବିଏମସି ପ୍ରସ୍ତୁତି ବୈଠକ ଡକାଯାଇଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପୂଜା କମିଟି, କମିଶନରେଟ ପୁଲିସ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଯାତ୍ରା କମିଟି ସଦସ୍ୟ, ପାନୀୟ ଜଳ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଶୃଙ୍ଖଳିତ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି।
