ଭୁବନେଶ୍ବର,୩୦ /୧୨ : ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ ୧୮ ମାସରେ ସରିବାର ଥିଲେ ହେଁ ୨୦ମାସ ହେଲା ନିର୍ମାଣ କାର୍ଯ୍ୟ ସରିନି। ଧାର୍ଯ୍ୟ ସମୟଠାରୁ ଅଧିକ ଦୁଇ ମାସ ହେବାରୁ ଜନସାଧାରଣ ପ୍ରଶ୍ନ କଲେଣି। ରାଜଧାନୀର ଅନ୍ୟତମ ବ୍ଲାକସ୍ପଟ୍ ଖଣ୍ଡଗିରି ଛକର ଦୁର୍ଘଟଣାଜନିତ ସମସ୍ୟା ସମାଧାନ ପାଇଁ ଏଠାରେ ଫ୍ଲାଏଓଭର ନିର୍ମାଣ ହେଉଛି। ମାର୍ଚ୍ଚ, ୨୦୧୯ରୁ ନିର୍ମାଣ କାମ ଆରମ୍ଭ ହୋଇ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଏହା ସରିବା କଥା। କିନ୍ତୁ ଏହା ମେ’ ୨୦୨୧ରେ ସରିବ ବୋଲି ଏବେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ କହୁଛନ୍ତି ।
କରୋନା ଜନିତ ଲକ୍ଡାଉନ୍ ଓ ସଟ୍ଡାଉନ୍, ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ପାହାଡ଼ କଟା ହେବା, ଡ୍ରେନ୍ ଘୁଞ୍ଚାଇବା, ଘରୋଇ ଜମି ଅଧିଗ୍ରହଣ ଭଳି ସମସ୍ୟା ଯୋଗୁଁ ପ୍ରକଳ୍ପ କାମ ବିଳମ୍ବ ହୋଇଛି ବୋଲି ଏନ୍ଏଚ୍ଏଆଇର ଓଡ଼ିଶା ମୁଖ୍ୟ ଆର୍.ପି ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ ୧୧୫କୋଟି ବ୍ୟୟରେ ନିର୍ମାଣ ହେଉଥିବା ୬ ଥାକିଆ ଏହି ଫ୍ଲାଏଓଭର୍ର ଲମ୍ବ ୨.୨୩୦ କିମି ହେବ। ଆଇଗିଣିଆ ପାର୍ଶ୍ବକୁ ଓ ବରମୁଣ୍ଡା ପାର୍ଶ୍ବକୁ ଆପ୍ରୋଚ୍ ରୋଡ୍ ମୋଟ୍ ୧.୨୩୦ କିମିର ରହିବ। ଏହି ଫ୍ଲାଏଓଭର୍ରେ ୬୮ଟି ପିଲାର୍ ଓ ୬୬ଟି ସ୍ପାନ୍ ରହିଛି।