ଭୁବନେଶ୍ବର, ୨୬/୦୮ : ଆସନ୍ତାକାଲି କିଟ୍ ରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜାତୀୟ କ୍ରୀଡ଼ା ଦିବସ ପୂର୍ବରୁ ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ଓ ରାଷ୍ଟ୍ର ନିର୍ମାଣ ଯାତ୍ରା ସହ ଯୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ଖେଲୋ ଇଣ୍ଡିଆ ସମ୍ବାଦ’- ଖେଲ୍ କି ବାତ୍ ପିଏମ୍ କେ ସାଥ୍’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ପ୍ରମୁଖ ଆୟୋଜକ ପ୍ରତିଷ୍ଠାନ ଭାବେ କିଟ୍ ରହିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜାତୀୟ ସେବା ଯୋଜନା ବା ଏନଏସ୍ଏସର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ ଖୁସ୍ୱା, କିଟ୍ ଏନଏସଏସ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରଭାତ କୁମାର ରାଉତ ଏବଂ କିଟ୍ NSS ଲିଆଜନ୍ ଅଫିସର ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ. ସ୍ମୃତି ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଯୁବ ବ୍ୟାପାର ବିଭାଗ ଅଧୀନରେ ମେରା ଯୁବା ଭାରତ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ି, କ୍ରୀଡ଼ାବିତ୍ , ଜନପ୍ରତିନିଧି ଏବଂ କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷ ଏକ ମଞ୍ଚରେ ଏକାଠି ହେବେ। ଯୁବ ସହଭାଗିତା, କ୍ରୀଡ଼ାର ବିକାଶ, ଶାରୀରିକ ସୁସ୍ଥତା ଏବଂ ରାଷ୍ଟ୍ର ନିର୍ମାଣ ଉପରେ ଏଥିରେ ଗୁରୁତ୍ୱ ଦିଆଯିବ। ଏଥିସହ ‘ବିକଶିତ ଭାରତ@୨୦୪୭’ ଲକ୍ଷ୍ୟ ପୂରଣରେ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ଦେଶର ବିଭିନ୍ନ ଜିଲ୍ଲାର ଚୟନିତ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମ ଏକକାଳୀନ ଭାବେ ଆୟୋଜିତ ହେବ। ଦେଶବ୍ୟାପୀ ପ୍ରାୟ ୧,୬୦୦ଟି ସ୍ଥାନରେ ୮ ଲକ୍ଷରୁ ଅଧିକ ଯୁବକଯୁବତୀ ଯୋଗଦେବା ସମ୍ଭାବନା ରହିଛି।
କଲେଜ ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ମାଇଁ ଭାରତ ସ୍ୱେଚ୍ଛାସେବୀ, ଯୁବ କ୍ଲବ ସଦସ୍ୟ ଏବଂ କ୍ରୀଡ଼ାପ୍ରେମୀ ସକ୍ରିୟ ଭାବେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ସମ୍ବୋଧନ କରିବେ। ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଲାଇଭ୍ ଫିଡ୍ ମାଧ୍ୟମରେ ଯୁବପିଢ଼ି ପ୍ରଧାନମନ୍ତ୍ରୀଙ୍କ କ୍ରୀଡ଼ା, ଫିଟ୍ ନେସ୍ ଏବଂ ଯୁବ ନେତୃତ୍ୱାଧୀନ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ଦୃଷ୍ଟିକୋଣ ଶୁଣିବେ। ଏହା ପରେ ସ୍ଥାନୀୟସ୍ତରରେ ‘ଯୁବ ସମ୍ବାଦ’ ଆୟୋଜିତ ହେବ। ଏଥିରେ ଯୁବପିଢ଼ି କ୍ରୀଡ଼ାବିତ୍ , ଜନପ୍ରତିନିଧି ଓ କ୍ରୀଡ଼ା କ୍ଷେତ୍ରର ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ।