ଭୁବନେଶ୍ୱର, ୩୦/୦୮ : କିଟ୍ ଓ କିସ୍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆଜିର ଦିନର ମହତ୍ତ୍ୱ ସମ୍ପର୍କରେ କହିବାକୁ ଯାଇ ସେ କହିଲେ, ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଅବସରରେ ପ୍ରତ୍ୟେକ ଖେଳ ଓ ଖେଳାଳିଙ୍କୁ ସମ୍ମାନ ଦିଆଯାଇଥାଏ । କିଟ୍ ଓ କିସ୍ ଦୀର୍ଘ ୩ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। ୨୦୨୮ ଅଲିମ୍ପିକ୍ସରେ କିଟ୍ ଓ କିସ୍ରୁ ଅଧିକ ଖେଳାଳି ଯେଭଳି ବାହାରି ପାରିବେ ସେ ନେଇ ଡକ୍ଟର ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କିଟ୍ ଛାତ୍ରୀ ତଥା ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏଥିରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସର ଅବଦାନକୁ ପ୍ରଶଂସା କରିଥିଲେ।
ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଗରିବ ତଥା ଲୁକାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ ଭାବେ ଗଢି ତୋଳିଛନ୍ତି। ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଯୋଗୁଁ ସେ ଆଜି କିଟ୍ କିସ୍ ଓଡିଶା ତଥା ଭାରତ ପାଇଁ ଗୌରବ ଆଣିଛି। କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କିଟ୍ ଓ କିସ୍ ଜରିଆରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ତାର ସଫଳ ରୂପାୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ।