କିଟ୍‍ ପକ୍ଷରୁ କିଟ୍‍-କିସ୍‍ କର୍ମଚାରୀଙ୍କ ମେଧାବୀ ସନ୍ତାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୯/୧୧ : ପ୍ରତିବର୍ଷ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‍ର ଯେଉଁ କର୍ମଚାରୀଙ୍କ ପିଲାମାନେ ଉତ୍ତମ ପ୍ରଦର୍ଶନ କରିଥାନ୍ତି କିଟ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ କର୍ମଚାରୀ ଓ ସେମାନଙ୍କ ପିଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ । କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୯ ଓ ୨୦୨୦ ଶିକ୍ଷାବର୍ଷରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉତ୍କର୍ଷତା ପ୍ରତିପାଦିତ କରିଥିବା କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପୁଅଝିଅଙ୍କୁ ଆଜି କିଟ୍‍ ପରିସରରେ କରୋନା ନିୟମ ପାଳନ ମଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । କିଟ୍‍ ଓ କିସ୍‍ର କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଆନ୍ତି । ସେଥିମଧ୍ୟରୁ କର୍ମଚାରୀଙ୍କ ମେଧାବୀ ପିଲାଙ୍କୁ ସମ୍ବର୍ଦ୍ଧିତ କରିବା ଅନ୍ୟତମ । ଏହି ପରିପ୍ରେକ୍ଷୀରେ ଆଜି ୧୫୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କିଟ୍‍ ପକ୍ଷରୁ ୧୧ ହଜାର ଟଙ୍କା ମୂଲ୍ୟର ଏକ ଲେନୋଭୋ ଟାବ୍‍ଲେଟ୍‍ ଉପହାର ସହ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତ କର୍ମଚାରୀ ଓ ସେମାନଙ୍କ ପିଲାମାନେ ଆନନ୍ଦିତ ହେବା ସହ ଉତ୍ସାହିତ ହୋଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।