ଭୁବନେଶ୍ୱର, ୨୯/୦୫ : ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ କିଟ୍ ଓ କିସ୍ ଛାତ୍ରଛାତ୍ରୀ ସେମାନଙ୍କ କଳାର କମାଲ୍ ଦେଖାଇ ଚାଲିଛନ୍ତି । ଓଡ଼ିଶାର ଜନଜାତି ଭାଷାରେ ଶେକ୍ସପିୟରଙ୍କ ନାଟକ କ୍ରାୟୋଭା ସହରର ଗୋଟିଏ ପରେ ଗୋଟିଏ ସ୍ଥାନରେ ଅତି ଚମତ୍କାର ଭାବେ ପରିବେଷଣ କରି ବେଶ ପ୍ରଶଂସିତ ହେଉଛନ୍ତି । ସମଗ୍ର କ୍ରାୟୋଭା ସହର ସାରା ଏହି ଛାତ୍ରଛାତ୍ରୀଙ୍କ କଳା ପ୍ରଦର୍ଶନ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଅନ୍ତର୍ଜାତୀୟ ଶେକସପିୟର ମହୋତ୍ସବରେ କିଟ୍ ଓ କିସ୍ ଛାତ୍ରଛାତ୍ରୀମାନେ କ୍ରାୟୋଭିଟାରେ ‘ମ୍ୟାକବେଥ୍ ‘ର ଏକ ସୁନ୍ଦର ସାନ୍ତାଳୀ ରୂପାନ୍ତର ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । କ୍ରାଇଓଭା ସହରର ପ୍ରୋମେନାଡା ମଲରେ ଅନ୍ୟ ଏକ ନାଟକ ‘ହାମଲେଟ’ର ଏକ ସୁନ୍ଦର ସାନ୍ତାଳୀ ରୂପାନ୍ତର ମଧ୍ୟ ଉପସ୍ଥାପନ କରିଥିଲେ । ଏହା ନାଟକ ପରିବେଷଣ ଅପେକ୍ଷା ଭାଷା, ପରିଚୟ, ସଂସ୍କୃତିର ଏକ ଉତ୍ସବ ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କୁ ଏଭଳି ସୁଯୋଗ ଦେଇଥିବାରୁ ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ଗତକାଲି ନୂଆଦିଲ୍ଲୀରେ ରୋମାନିଆର ରାଷ୍ଟ୍ରଦୂତ ସେନା ଲତିଫଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଇରାସମସ୍ କାର୍ଯ୍ୟକ୍ରମ ଅଧୀନରେ ରୋମାନିଆରେ ଥିବା କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସମର୍ଥନ ଓ ପ୍ରୋତ୍ସାହନ ଦେଇଥିବାରୁ ଡ଼ ସାମନ୍ତ ଲତିଫଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଜନଜାତି ସଂସ୍କୃତି, କିସ୍ ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ରୋମାନିଆରେ କିଟ୍ ଓ କିସ୍ର ଛାତ୍ରଛାତ୍ରୀମାନେ ପରିବେଷଣ କରୁଥିବା ସାନ୍ତାଳୀ ନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ପାଇଁ ଡ଼ ସାମନ୍ତ ଲତିଫ୍ଙ୍କୁ କିଟ୍ ଓ କିସ୍ ପରିଦର୍ଶନ ନିମନ୍ତେ ନିମନ୍ତ୍ରଣ ମଧ୍ୟ କରିଥିଲେ ।