ଭୁବନେଶ୍ୱର, ୧୮/୦୪ : କିମ୍ସରେ ମିନିମାଲି ଇନ୍ଭେସିଭ୍ ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ ମିନିମାଲି ଇନଭେସିଭ୍ ମିଟ୍ରାଲ ଭାଲଭ୍ ଲଗାଯାଇଛି । କିମ୍ସର ହୃଦ୍ରୋଗ ସର୍ଜନ ଡା ଅମିତ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ସାଧାରଣତଃ ଏଭଳି ଅସ୍ତ୍ରୋପଚାର ପାଇଁ ଷ୍ଟର୍ନମ କାଟିବାକୁ ପଡ଼ିଥାଏ । ଏଥିଯୋଗୁଁ ପ୍ରାୟତଃ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ହେବା ସହ ଛାତିରେ ଦାଗ ରହିଯାଇଥାଏ । ଏହି ପଦ୍ଧତିରେ ପଞ୍ଜରାଗୁଡ଼ିକୁ ନ କାଟି ପଞ୍ଜରା ମଧ୍ୟରେ ଏକ ଛୋଟ ଛିଦ୍ର କରି ଅସ୍ତ୍ରୋପଚାର କରାଯାଇଥାଏ । ଫଳରେ ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ୍ ହୋଇଥାଏ । ଏହି କୌଶଳ ଦ୍ୱାରା ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣା ଯଥେଷ୍ଟ ହ୍ରାସ କରାଯିବା ସହ ରକ୍ତସ୍ରାବ ମଧ୍ୟ କମ ହୋଇଥାଏ ବୋଲି ଡା ଅଗ୍ରୱାଲ କହିଛନ୍ତି । ତେବେ ଏହି ପ୍ରକ୍ରିୟାରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମ୍ପୂର୍ଣ୍ଣ ଅଭିଜ୍ଞ ଓ ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ ଏବଂ ଏଥିପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ ଉପକରଣ ଆବଶ୍ୟକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । କିମ୍ସରେ ଏଭଳି ପଦ୍ଧତିରେ ହୃଦ୍-ଅସ୍ତ୍ରୋପଚାର ହେବା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଏଥିରୁ ସୁବିଧା ପାଇପାରିବେ ବୋଲି ଡା ଅଗ୍ରୱାଲ ସୂଚନା ଦେଇଛନ୍ତି ।