ଚୋରା କିରୋସିନ ଆଡ୍ଡା ଉପରେ ଏସଟିଏଫର ଚଢ଼ାଉ : ୨୧ ହଜାର ଲିଟର ପିଡ଼ିଏସ କିରୋସିନ ଜବତ, ୩ ଗିରଫ

ଭୁବନେଶ୍ୱର,୧୫ /୯ : (ପ୍ରଦୀପ୍ତ କୁମାର ଦାସ) – କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ମଙ୍ଗଳବାର କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୋଲର ଠାରେ ଥିବା ଏକ ବେଆଇନ କିରୋସିନ ଆଡ୍ଡା ଉପରେ ଚଢ଼ାଉ କରି ଦୁଇଟି ବଡ ଲରି ସହ ୨୧ହଜାର ଲିଟର ଚୋରା କିରୋସିନ ଜବତ କରିଛି । ଏହି ଚୋରା କାରବାରରରେ ସମ୍ପୃକ୍ତ ୩ ଜଣ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କେଲାର ଗାଁର ଗୋକୁଳାନନ୍ଦ ପାଳ, ଗଂଜାମ ଜିଲ୍ଲାର ରାଧେଶ୍ୟାମ ବାରିକ ଓ ଗଂଜାମ ଜିଲ୍ଲାର ଗୋଲନ୍ଥରା ଅଂଚଳର ଜିତେନ୍ଦ୍ର ରାଉତଙ୍କୁ  ଗିରଫ କରିଛି । ଘଟଣାସ୍ଥଳରୁ କିଙ୍ଗ ପିନ କ୍ଷୀରୋଦ ଚନ୍ଦ୍ର ପାତ୍ର ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରୁ ଅନେକ ବଡ଼ ବଡ଼ ବ୍ୟାରେଲ,ମୋଟର, ପ୍ଲାଷ୍ଟିକ ପାଇପ,ରଙ୍ଗ ବଦଳାଇବା ପାଇଁ ବ୍ୟବହାର ହେଉଥିବା କେମିକାଲ ଓ ନଗଦ ୧୮ ହଜାର ୬୦୦ ଟଙ୍କା ମଧ୍ୟ ଜବତ କରାଯାଇଛି ।

ଏଠାରେ କିରାସିନିରେ ରସାୟନିକ ସାମଗ୍ରୀ ମିଶାଇ ନକଲି ଡିଜେଲ ପ୍ରସ୍ତୁତ କରାଯାଉଥିଲା । କିରାସିନିକୁ ଡିଜେଲ ଦରରେ ବିକ୍ରି କରି ଅଭିଯୁକ୍ତମାନେ ବିପୁଳ ଟଙ୍କା ରୋଜଗାର କରୁଥିଲେ । ଏହି କ୍ରମରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ପେଷାଦାର କିରୋସିନ କଳାବଜାରୀଙ୍କ ବିରୋଧରେ ଏପରି କଡା ଆଭିମୁଖ୍ୟ ଆପଣେଇବା ସହ ଇତିମଧ୍ୟରେ ବେଶ ସଫଳତା ହାସଲ କରିଛି । ଏ ସଂକ୍ରାନ୍ତରେ ଏସଟିଏଫର ରିପୋର୍ଟକୁ ଆଧାର କରି ଗୁରୁଡ଼ିଝାଟିଆ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ଅଧିକ ଅନୁସନ୍ଧାନ ଜାରିରହିଥିବା ଖବର ମିଳିଛି ।