ଭୁବନେଶ୍ୱର, ୦୪/୦୩ : କିସ୍ ରେ ହୋଲି ପାଳିତ ହୋଇଯାଇଛି। ମଙ୍ଗଳବାର କିସ୍ ପରିସରରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ଗୀତିକାର ଅଭିଜିତ ମଜୁମଦାର ଓ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ କିସ୍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଚିତ୍ରାଭିନେତାଙ୍କ ସହ ହୋଲି ପାଳିଥିଲେ। ପାରମ୍ପରିକ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ରଙ୍ଗ ବୋଳି ଅବିର ପର୍ବ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ କିସ୍ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ। ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ କିସ୍ ରେ ହୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି କିଟ୍ ରେ ହେବାକୁ ଥିବା ବିଶ୍ଵ ବିଚ୍ ଭଲିବଲ୍ ଚାମ୍ପିଅନସିପରେ ଅଂଶ ଗ୍ରହଣ କରିବାକୁ ଆସିଥିବା ୫୨ ଟି ଦେଶର ଖେଳାଳି ଓ ଅଫିସିଆଲ୍ ଓ ଜାପାନ ଦୋସିସା ବିଶ୍ୱବିଦ୍ୟାଳୟର ପ୍ରତିନିଧି ମାନେ କିସ୍ ପିଲାଙ୍କ ସହ ହୋଲି ଖେଳିଥିଲେ। ସିନେ ସମୀକ୍ଷକ ଦିଲୀପ ହାଲି, ଅଭିନେତା ସବ୍ୟସାଚୀ, ଦେବାଶିଷ, ଅଭିନେତ୍ରୀ ଏଲିନା, ପିହୁ ମହାପାତ୍ର, ମେଘନା ମିଶ୍ର, ଅଙ୍କିତା ମହାନ୍ତି, ଦିବ୍ୟା, ହାସ୍ୟ ଅଭିନେତା ଜ୍ଞାନ ହୋତା, ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ (ହାଡୁ), କଣ୍ଠଶିଳ୍ପୀ ଗୀତା ଦାସ, ବିଭୁ କିଶୋର, ସୋହିନୀ, ଅନ୍ତରା ଚକ୍ରବର୍ତ୍ତୀ, ବର୍ଣ୍ଣାଳୀ ହୋତା, ଜୟଶ୍ରୀ ଧଳ, ଗୁରୁ ଶରତ ଦାସ, ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, ଗୁରୁ ଶାଶ୍ୱତ ଯୋଶୀଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।