ନୂଆଦିଲ୍ଲୀ,୧୮/୧: ‘ଭାରତ ଯୋଡୋ’ ଯାତ୍ରା’ କନ୍ୟା କୁମାରୀରୁ ବାହାରି ଏବେ ପଞ୍ଜାବରେ ପହଞ୍ଚିଛି। ଏହି ଯାତ୍ରା ଲାଗି ରାହୁଲ ଦୈନିକ ଅନେକ ବାଟ ପାଦରେ ଚାଲୁଛନ୍ତି। ଏହି ଯାତ୍ରା କାଳରେ ରାହୁଲ ଦେଶରେ ଶିକ୍ଷା ଓ ବେକାରୀ ସମେତ ଅନେକ ପ୍ରସଙ୍ଗରେ ଛାତ୍ରଛାତ୍ରୀ ଓ ଲୋକଙ୍କ ସହ କଥା ହେଉଛନ୍ତି। ତେବେ ଦେଶରେ ଶିକ୍ଷାର କଥା କହୁଥିବା ରାହୁଲ ଗାନ୍ଧିଙ୍କ ନିଜର ଶିକ୍ଷାଗତ ଯୋଗ୍ୟତା କେତେ ସେ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା କଣ?
ରାହୁଲଙ୍କ ପିଲାଦିନ ଦିଲ୍ଲୀ ଓ ଡେରାଡୁନରେ କଟିଛି। ଏଣୁ ରାହୁଲଙ୍କ ପ୍ରାରମ୍ଭିକ ପାଠପଢା ନିଶ୍ଚିତ ଦିଲ୍ଲୀ ଓ ଡେରାଡୁନରେ ହୋଇଥିବ। ରାହୁଲ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ତାଙ୍କର ଗ୍ରାଜୁଏସନ ଶେଷ କରିଛନ୍ତି। ଏହା ପରେ ସେ ଉଚ୍ଚ ଶିକ୍ଷା ଲାଗି ହାଭାର୍ଡ ୟୁନିଭର୍ସିଟିକୁ ପଢିବାକୁ ଯାଇଥିଲେ। ଏଠାରେ ପଢୁଥିବା ବେଳେ ସୁରକ୍ଷାଗତ କାରଣ ପାଇଁ ରାହୁଲଙ୍କୁ ଫ୍ଲୋରିଡାର ରଲିନ୍ସ କଲେଜକୁ ଟ୍ରାନ୍ସଫର କରିଦିଆଯାଇଥିଲା। ୧୯୯୪ରେ ରାହୁଲ ସ୍ନାତକୋତ୍ତର ସମାପ୍ତ କରିବା ପରେ ଡେଭଲପମେଣ୍ଟାଲ ଷ୍ଟଡିଜ୍ରେ ଏମ୍ଫିଲ କରିଥିଲେ।
ପାଠ ପଢା ସରିବା ପରେ ରାହୁଲ ସିଧାସଳଖ ରାଜନୀତିକୁ ଆସିନଥିଲେ। ଭାରତୀୟ ପରିବାରଙ୍କ ପିଲା ପରି ରାହୁଲ ମଧ୍ୟ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ରାହୁଲ ପ୍ରଥମେ ଲଣ୍ଡନର ଏକ ମ୍ୟାନେଜମେଣ୍ଟ କନସଲଟିଂ ଫାର୍ମ ମନିଟର ଗ୍ରୁପରେ ଯୋଗ ଦେଇଥିଲେ। ରାହୁଲ ୨୦୦୨ ମସିହାରେ ଭାରତ ଫେରିଆସିଥିଲେ ଓ ମୁମ୍ବାଇରେ ଟେକ୍ନୋଲଜି ଆଉଟ୍ ସୋର୍ସିଂ ଫାର୍ମ ବ୍ୟାକଅପସ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ।
ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ରାହୁଲ ଗାନ୍ଧି ମାର୍ଚ୍ଚ ୨୦୦୪ରେ କଂଗ୍ରେସ୍ରେ ଯୋଗ ଦେଇଥିଲେ। ସେହିବର୍ଷ ସାଧାରଣ ନିର୍ବାଚନରେ ସେ ତାଙ୍କ ପିତା ରାଜୀବ ଗାନ୍ଧିଙ୍କ ନିର୍ବାଚନମଣ୍ଡଳି ଆମେଥିରୁ ନିର୍ବାଚନ ଲଢିବା ସହ ରେକର୍ଡ ଭୋଟରେ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ରାହୁଲ ୧ ଲକ୍ଷ ଭୋଟ ଅନ୍ତରରେ ବିଜୟୀ ହୋଇଥିଲେ। ଏହା ସହ ରାଜନୀତିରେ ରାହୁଲ ଓତଃପ୍ରେତ ଭାବେ ଜଡିତ ହୋଇଥିବା ବେଳେ ୨୦୧୭ ମସିହାରେ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟରେ ରାହୁଲ ଅଧ୍ୟକ୍ଷପଦରୁ ନିଜକୁ ନିଜେ ଦୂରେଇ ନେଇଥିଲେ।