ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେଵା ପରେ ଦେଶର ରାଜନୀତି ଏବେ ଉଷ୍ମ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ଏବେ ସବୁ ରାଜ୍ୟରେ ପ୍ରଦର୍ଶନ କରୁଛି ଓ ରାହୁଲଙ୍କ ବିରୋଧରେ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି କହୁଛି। ଅପରପଟେ ବିଜେପି ଏହାକୁ ରାହୁଲଙ୍କ କୋର୍ଟଙ୍କୁ ଅପମାନ ବୋଲି କହୁଛି। ଏହି ପରି ଦୁଇ ଦଳଙ୍କ ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗ ଚାଲିଥିବା ବେଳେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ପାର୍ଟିର ନେତାଙ୍କୁ ସଂସଦ ଛାଡି ସଡ଼କୁ ଓହ୍ଲାଇ ଆସିବାକୁ ଆହ୍ୱାନ ଦେଇଛନ୍ତି।
ପ୍ରମୋଦ କୃଷ୍ଣମ ପ୍ରିୟଙ୍କା ଗାନ୍ଧିଙ୍କ ନିକଟତମ ନେତା । ତାଙ୍କ ଅନୁସାରେ ଯେଉଁ ସଦନରେ ରାହୁଲ ଗାନ୍ଧି ନାହାନ୍ତି ସେଠାରେ କଂଗ୍ରେସର ଅନ୍ୟ ସାଂସଦଙ୍କ କାମ କଣ ବୋଲି କହିଛନ୍ତି। ଏଣୁ ଯେଉଁ ନେତାମାନେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କ ଲାଗି ବଳିଦାନ ଦେବେ ବୋଲି କହୁଥିଲେ ସେମାନେ ଏବେ ସଂସଦ ଛାଡି ସଡକକୁ ଆସି ସରକାରଙ୍କ ବିରୋଧରେ ସଂଗ୍ରାମ କରନ୍ତୁ ବୋଲି କହିଛନ୍ତି। କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ରାହୁଲ ଗାନ୍ଧିଙ୍କ ଦଣ୍ଡକୁ ସମ୍ପୂର୍ଣ୍ଣ ରାଜନୈତିକ ବୋଲି କହିଛନ୍ତି। କଂଗ୍ରେସକୁ ସେ ଏକ ବଡ ପାର୍ଟି ବୋଲି କହିଥିବା ବେଳେ ନେତାମାନଙ୍କୁ ସଡ଼କରେ ଲଢିବା ଲାଗି ପ୍ରସ୍ତୁତି କରିବା ଦରକାର ବୋଲି କହିଛନ୍ତି।
ପ୍ରମୋଦ କୃଷ୍ଣମ ଯେଉଁ ସଂସଦକୁ ରାହୁଲ ଗାନ୍ଧି ଯିବେନି ସେ ସଂସଦକୁ ତୁମେ ଯାଇ କରିବ କଣ ବୋଲି କଂଗ୍ରେସ ସାଂସଦମାନଙ୍କୁ ପ୍ରଶ୍ନ କରିଛନ୍ତି। ଯେଉଁମାନେ ରାହୁଲ, ପ୍ରିୟଙ୍କା ଓ କଂଗ୍ରେସ ଲାଗି ବଳିଦାନ କରିବେ ବୋଲି କହୁଥିଲେ ସେମାନଙ୍କୁ ସଂସଦରୁ ଇସ୍ତଫା ଦେଇ ଦେବା ଦରକାର ବୋଲି କହିଛନ୍ତି। ସେମାନ ସଂସଦରୁ ଇସ୍ତଫା ଦେଇ ଗାଁ ଗାଁ, ସହର ସହର ଓ ଗଳି ମହଲ୍ଲାରେ ମୋର୍ଚ୍ଚା ଖୋଲିଦେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏବେ ସଂସଦକୁ ଯାଇ କହିବାର ଦିନ ଶେଷ ହୋଇଯାଇଛି। ଏବେ ସଡ଼କ ଉପରେ ଲଢିବାର ବେଳ ଆସିଛି। ନଚେତ ଦେଶରେ ଗଣତନ୍ତ୍ର ସମାପ୍ତ ହୋଇଯିବ ବୋଲି ପ୍ରମୋଦ କୃଷ୍ଣମ ସତର୍କ କରିଛନ୍ତି।