ନୂଆଦିଲ୍ଲୀ,୨୧/୮ : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଚଳିତ ଟେଷ୍ଟ୍ ଶୃଙ୍ଖଳା ବିଜୟ ଉପରେ ପୂରା ନଜର ରଖିଛି। ତଥାପି ଅଧିନାୟକ ବିରାଟ କୋହଲି ଏବଂ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ଅଧିକାରୀମାନେ ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ରୋଡ୍ମ୍ୟାପ୍ ସଂପର୍କରେ ଆଲୋଚନା କରିବାକୁ ଭୁଲି ନାହାନ୍ତି। ଅଧିନାୟକ ଭାବେ ଭାରତ ପାଇଁ କୌଣସି ଆଇସିସି ପ୍ରତିଯୋଗିତା ଜିତିପାରିନଥିବାରୁ ଆଗାମୀ ଟି-୨୦ ବିଶ୍ବକପ୍ ମଧ୍ୟ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। କୋହଲିଙ୍କ ନେତୃତ୍ବରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପରାସ୍ତ ହୋଇଥିଲା ବେଳେ ୨୦୧୯ ଦିନିକିଆ ବିଶ୍ବକପ୍ର ସେମିଫାଇନାଲ୍ରୁ ବିଦାୟ ନେଇଥିଲା। ପୁଣି ଚଳିତ ବର୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ବି ପରାସ୍ତ ହୋଇଛି। ତେଣୁ ଆଇସିସି ଟ୍ରଫି ଜିତିବାର ବାଧାକୁ ଅତିକ୍ରମ କରିବା କୋହଲିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।
ବିଶେଷକରି ଲର୍ଡସ ଟେଷ୍ଟ୍ ବିଜୟ ପରେ କୋହଲିଙ୍କ ଉପରୁ ନିଶ୍ଚିତପକ୍ଷେ ଯଥେଷ୍ଟ ଚାପ ହ୍ରାସ ପାଇଛି। ହେଲେ ୟୁଏଇରେ ଆୟୋଜିତ ଟି-୨୦ ବିଶ୍ବକପ୍ରେ ଦଳର ପ୍ରଦର୍ଶନ ଉପରେ ତାଙ୍କ ନେତୃତ୍ବ ଭବିଷ୍ୟତ ଝୁଲି ରହିଥିବା ସେ ଭଲଭାବେ ଜାଣିଛନ୍ତି। ପୁଣି ଟି-୨୦ ବିଶ୍ବକପ୍ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଅଭିଯାନ ଆରମ୍ଭ କରିବାକୁ ଥିବାରୁ କୋହଲି ଚାପରେ ରହିବେ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ସାହା ଏବଂ ଉପସଭାପତି ରାଜୀବ ଶୁକ୍ଳା ଅଧିନାୟକ କୋହଲିଙ୍କ ସହ ଲର୍ଡସ ଟେଷ୍ଟ୍ ବେଳେ ଆଲୋଚନା କରିଥିଲେ। ଏଥିରେ ଟି-୨୦ ବିଶ୍ବକପ୍ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଟି-୨୦ ବିଶ୍ବକପ୍ ପୂର୍ବରୁ ଆଇପିଏଲ୍କୁ ବାଦ୍ ଦେଲେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିବାର ସୂଚୀ ନଥିବା ଏବଂ ଭାରତ ହାତରେ ବହୁତ କମ୍ ସମୟ ଥିବାରୁ ଏହାଉପରେ ଆଲୋଚନା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନଯୋଗ୍ୟ, ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳୁଛି। ଏହା ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍ ପକ୍ଷରୁ ଆଇପିଏଲ୍ ଖେଳିବାରେ ବ୍ୟସ୍ତ ରହିବେ। ତେଣୁ ସମୟ ବହୁତ କମ୍ ଥିବାରୁ ଟି-୨୦ ବିଶ୍ବକପ୍ ପାଇଁ କୋହଲିଙ୍କ ସହ ଆଲୋଚନା କରାଯିବା ନେଇ ବିସ୍ମିତ ହେବାର କୌଣସି କାରଣ ନାହିଁ। ମୁଖ୍ୟତଃ ଦଳର ମଧ୍ୟକ୍ରମକୁ ଶକ୍ତିଶାଳୀ କରିବା, ବୋଲରଙ୍କୁ ସନ୍ତୁଳିତ ରଖିବା, ଅଲ୍ରାଉଣ୍ଡରଙ୍କ ସ୍ଥାନ, କଚଟି ସ୍ପିନର, ଖେଳାଳି ଅଦଳବଦଳ ଏବଂ ଚୂଡ଼ାନ୍ତ ଦଳ ମନୋନୟନ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଆଲୋଚନା ହୋଇଥିଲା। ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମାଙ୍କ କିଛି ପ୍ରଶ୍ନବାଚୀକୁ ନେଇ ଅଧିନାୟକ କୋହଲି, ପ୍ରଶିକ୍ଷକମଣ୍ଡଳୀ ରବି ଶାସ୍ତ୍ରୀ ଓ ଭରତ ଅରୁଣଙ୍କ ସହିତ ବିସିସିଆଇ ଉଚ୍ଚ ପଦାଧିକାରୀ ଆଲୋଚନା କରିଥିଲେ। ଟି-୨୦ ବିଶ୍ବକପ୍ରେ କିପରି ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଭଳି ଦଳକୁ ଆହ୍ବାନ ଦେଇହେବ ସେନେଇ ପ୍ରସ୍ତୁତି କରିବା ମଧ୍ୟ ଆଲୋଚନାର ଅଂଶବିଶେଷ ରହିଥିଲା।
ଆଲୋଚନା ବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ ବିଶ୍ବକପ୍ ଦଳରେ ସ୍ଥାନ ପାଇବା ଦୌଡ଼ରେ ପ୍ରାୟତଃ ନଥିବା ସଂକେତ ମିଳିଥିଲା ବେଳେ ଆଇପିଏଲ୍କୁ ଦୃଷ୍ଟିରେ ରଖି ମହମ୍ମଦ ସାମି ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ଉପରୁ କିପରି ବୋଝ ଲାଘବ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ପୁଣି ନାଲି ବଲ୍ରେ ମହମ୍ମଦ ସିରାଜ୍ଙ୍କ ଫର୍ମକୁ ବିଚାରକୁ ନିଆଯିବ ନା ନାହିଁ ତାହା ମଧ୍ୟ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସ୍ପିନ୍ ବୋଲିଂ ଆକ୍ରମଣରେ ୟୁଝବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜାଙ୍କ ସହ କୁଲ୍ଦୀପ ଯାଦବ, ବରୁଣ ଚକ୍ରବର୍ତୀ ଓ ରାହୁଲ ଚହରଙ୍କ ମଧ୍ୟରୁ କିଏ ଯୋଗଦେଇପାରିବେ? ହାର୍ଦିକ୍ ପାଣ୍ଡ୍ୟା ପୂରା କୋଟା ବୋଲି କରିପାରିବେ କି ନା? ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ କିଏ ଚୂଡାନ୍ତ ଏକାଦଶରେ ଖେଳିବେ? ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଶେଷରେ କୋହଲି ଓ ଚେତନ ଶର୍ମା ମନୋମାଳିନ୍ୟରୁ ଦୂରେଇ ରହି ୨୦୧୩ ପରେ ଭାରତକୁ ପ୍ରଥମ ଆଇସିସି (ବରିଷ୍ଠ) ଟ୍ରଫି ଜିତିବା ଦିଗରେ କାର୍ଯ୍ୟ କରିବାକୁ ବିସିସିଆଇ ଆଶା ରଖିଛି। ଶେଷ ଥର ପାଇଁ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ଆଇସିସି (ଚାମ୍ପିଅନ୍ସ ଟ୍ରଫି) ଟ୍ରଫି ଜିତିଥିଲା।