କୋଲକାତା : ଆଇପିଏଲର ନବମ ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୁରୁକୁ ୮୧ ରନ୍ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ଇଡେନ ଗାର୍ଡେନ୍ରେ ଖେଳାଯାଉଥିବା ଆଜିର ମ୍ୟାଚ୍ରେ କେକେଆର୍ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍ କରିଥିଲା।
୨୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କେକେଆର୍ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲେ ଆର୍ସିବି ଖେଳାଳି। ଫଳରେ ବେଙ୍ଗାଲୁରୁ ମାତ୍ର ୧୭.୪ ଓଭର ଖେଳି ୧୨୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। କେକେକଆର୍ ୮୧ ରନ୍ରେ ବିଜୟୀ ହୋଇଛି।
ଆର୍ସିବି ପକ୍ଷରୁ ଆଜି କୌଣସି ବ୍ୟାଟର ୩୦ ଛୁଇଁ ପାରି ନଥିଲେ। ଦଳ ପକ୍ଷରୁ ଓପନିଂ ଆସିଥିବା ଫାପ୍ ଡୁପ୍ଲେସିସ୍ ଓ ବିରାଟ କୋହଲି ପ୍ରଥମେ ଭଲ ଆରମ୍ଭ ଦେଇଥିଲେ। ହେଲେ ୫ ଓଭର ଖେଳ ଚାଲିଥିବା ବେଳେ ବିରାଟ(୨୧)ଙ୍କ ୱିକେଟ୍ ଯାଇଥିଲା। ସୁନୀଲ ନାରିନ୍ଙ୍କ ଇନ୍ସ୍ୱିଙ୍ଗରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ।
ଏହାପରେ ଦଳର ୱିକେଟ୍ ପଡ଼ିବା ଆରମ୍ଭ ହୋଇଯାଇଥିଲା। ବିରାଟଙ୍କ ପରେ ଡୁପ୍ଲେସିସ୍(୨୩), ଗ୍ଲେନ୍ ମାକ୍ସେଲ୍ (୭),ହର୍ଷଲ ପଟେଲ (୦), ଶେହବାଜ ଅହମଦ(୧), ମାଇକେଲ ବ୍ରାସୱେଲ(୧୯),ଅଞ୍ଜୁ ରାୱତ(୧), ଦିନେଶ କାର୍ତ୍ତିକ(୯), କର୍ଣ୍ଣ ଶର୍ମା(୧) ଓ ଆକାଶ ଦୀପ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଏହିପରି ଭାବେ ଦଳ ମାତ୍ର ୧୭. ୪ ଓଭର୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଆଜିର ମ୍ୟାଚ୍ରେ କେକେଆର୍ ଜବରଦସ୍ତ ବ୍ୟାଟିଂ ସାଙ୍ଗକୁ ଘାତକ ବୋଲିଂ ବି କରିଥିଲା। ବିଶେଷ କରି ଦୁଇ ଭାରତୀୟ ବୋଲର ପଡ଼ିଆରେ ଆର୍ସିବିର ବ୍ୟାଟରଙ୍କୁ ଘାଇଲା କରିଥିଲେ। ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ସୂୟସ ଶର୍ମା ୩ ୱିକେଟ୍ ନେଇଥିଲେ। ଏହାପରେ ସୁନୀଲ ନାରିନ ୨ ଓ ଶାର୍ଦୁଲ ଠାକୁର ୧ ୱିକେଟ୍ ନେଇଥିଲେ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଆରସିବି ପ୍ରଥମେ ଚମତ୍କାର ବୋଲିଂ କରିଥିଲା । ୮୯ ରନରେ କୋଲକାତାର ୫ଟି ୱିକେଟ୍ ନେବାରେ ଆରସିବି ବୋଲର ସଫଳ ହୋଇଥିଲେ। କିନ୍ତୁ ଷଷ୍ଠ ୱିକେଟ୍ ପାଇଁ ରିଙ୍କୁ ସିଂହ ଏବଂ ଶାର୍ଦୁଲ ଠାକୁରଙ୍କ ମଧ୍ୟରେ ୧୦୩ ରନର ପାର୍ଟନର୍ସିପ୍ ହୋଇଥିଲା। କେକେଆର ପାଇଁ ଶାର୍ଦୁଲ ଠାକୁର ୨୯ ବଳରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ରମାନୁଲ୍ଲାହ ଗୁରବାଜ ୫୭ ରନ୍ ଏବଂ ରିଙ୍କୁ ସିଂହ ୪୬ ରନ୍ କରିଥିଲେ।
ଆରସିବି ପକ୍ଷରୁ ଡେଭିଡ୍ ୱିଲି, କରଣ ଶର୍ମା ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ଶିରାଜ, ବ୍ରେସୱେଲ ଏବଂ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏ ୱିକେଟ୍ ମିଳିଥିଲା।