ଆଇପିଏଲ : ମୁମ୍ବାଇକୁ ୧୪୯ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୧୪୯ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଆଜି କୋଲକାତାର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଓପନର ରାହୁଲ ତ୍ରିପାଠୀ ମାତ୍ର ୭ରନ କରିଥିବାବେଳେ ଶୁଭମାନ ଗିଲ ୨୧ ରନ, ନିତିଶ ରାଣା ୫ରନ, ଦିନେଶ କାର୍ତ୍ତିକ ୪ ରନ କରି ଆଉଟ ହୋଇଥିଲେ । ତେବେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇଅନ ମୋର୍ଗାନ ଓ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଟ୍ କମିନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମୋର୍ଗାନ ୩୯ ରନ ଓ କମିନ୍ସ ୫୩ ରନ କରି ଅପରାଜିତ ଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୮ ରନ କରିଛି ।

ମୁମ୍ବାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।