ଟାଇମ୍ସ ନାଓ-ସି ଭୋଟର ସର୍ଭେ : ପଶ୍ଚିମବଙ୍ଗରେ ବିଜେପିକୁ ଅଧିକ ସମର୍ଥନ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ମମତା ସବୁଠୁ ଅଧିକ ପସନ୍ଦ
କୋଲକାତା, ୭/୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟାଇମ୍ସ-ନାଓ ସି ଭୋଟରର ଏକ ସର୍ଭେ ସାମ୍ନାକୁ ଆସିଛି । ଏଥିରେ ପଶ୍ଚିମବଙ୍ଗରେ କିଏ ଲୋକପ୍ରିୟ ନେତା ଓ ଦଳ ସେନେଇ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ବିଜେପି ତୃଣମୂଳ କଂଗ୍ରେସଠୁ ଆଗକୁ ଯାଇଥିବା ଦେଖିବାକୁ ମିଳିଛି । ୪୧.୬ ପ୍ରତିଶତ ଲୋକେ ବିଜେପିକୁ ସମର୍ଥନ କରିଥିବା ବେଳେ ୩୬.୯ ପ୍ରତିଶତ ଟିଏମସିକୁ ସମର୍ଥନ କରିଛନ୍ତି ।
ଟାଇମ୍ସ ନାଓ-ସି ଭୋଟର ସର୍ଭେ ଜାନୁଆରୀ ୨୪ରୁ ଫେବ୍ରୁଆରୀ ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ନାକୁ ଆସିଛି ଯେ, ବିଜେପିକୁ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଲୋକ ସମର୍ଥନ କରୁଛନ୍ତି । ଟିଏମସି ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦୁଇ ଦଳ ବ୍ୟତୀତ ଅନ୍ୟ କୌଣସି ଦଳ ୧୦ ପ୍ରତିଶତରୁ ଅଧିକ ସମର୍ଥନ ପାଇ ନାହାଁନ୍ତି ।
ବିଜେପିର ତମାମ ଅଭିଯୋଗ ପରେ ବି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସବୁଠୁ ଲୋକପ୍ରିୟ ହେଉଛନ୍ତି ମମତା ବାନାର୍ଜୀ । ପ୍ରାୟ ୫୪.୩ ପ୍ରତିଶତ ଲୋକେ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରନ୍ତି । ତେବେ ୪୯.୭ ପ୍ରତିଶତ ଲୋକେ ତାଙ୍କ କାମକୁ ପ୍ରଶଂସା କରିଥିବା ବେଳେ ୩୧ ପ୍ରତିଶତ ତାଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି ।
ବିଜେପିର ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ମାତ୍ର ୨୨.୬ ପ୍ରତିଶତ ପସନ୍ଦ କରନ୍ତି । ତୃତୀୟ ସ୍ଥାନରେ ମୁକୁଲ ରାୟ ଓ ଚତୁର୍ଥରେ ସୌରଭ ଗାଙ୍ଗୁଲି ରହିଛନ୍ତି ।