ଭୁବନେଶ୍ୱର : ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ ଟାଉନ୍। ଅର୍କକ୍ଷେତ୍ର ହେବ ରାଜ୍ୟର ପ୍ରଥମ ସୋଲାର ସିଟି। ଏଥିଲାଗି ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ। ପ୍ରାୟ ୪୫ କୋଟି ଟଙ୍କା ପୁଞ୍ଜିନିବେଶରେ କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାଓ୍ୱାଟର ସୌର ପ୍ରକଳ୍ପ। ୨୫ ବର୍ଷ ଲାଗି ଗ୍ରୀଡ୍ରୁ ଏହି ପ୍ରକଳ୍ପରୁ ସୌରଶକ୍ତି କିଣାଯିବ। ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପରେ ବ୍ୟବହାର ହେବ।
ଗୁଜରାଟ ମୋଢେରା ଭଳି ସୋଲାର ସହରରେ ପରିଣତ ହେବ କୋଣାର୍କ। କୋଣାର୍କ ଏନଏସି ସମେତ ସୂର୍ଯ୍ୟ ମନ୍ଦିର ସୌରଶକ୍ତି ଅଲୋକରେ ଅଲୋକିତ ହେବ। ଟ୍ୱିଟ୍ କରି ଏହି ସୂଚନା ଦେଇଛି ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା-ଗ୍ରୀଡ୍କୋ।
କେନ୍ଦ୍ର ସରକାରଙ୍କ MNRI ସ୍କିମ୍ ଅନ୍ତର୍ଗତ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ନାମକ କନ୍ସୋର୍ଟିୟମ। ଏଠାରୁ ଉତ୍ପାଦନ ହେବାକୁ ଥିବା ସୌରଶକ୍ତି ଷ୍ଟେଟ୍ ଗ୍ରୀଡ୍ ସହ ଯୋଡ଼ିହେବ, ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ ପାଇଁ ବ୍ୟବହାର ହେବ। ଏଥିପାଇଁ ନିକଟରେ ଗ୍ରୀଡ୍କୋ ସହ ଶକ୍ତି କ୍ରୟ ଚୁକ୍ତି- ପିପିଏ ସ୍ୱାକ୍ଷର କରିଛି କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍।