କୋଟିଆରେ ପିଲା ପଢ଼ୁଛନ୍ତି ତେଲୁଗୁ ପାଠ

କୋରାପୁଟ,୧୭ /୨: କୋଟିଆରେ ପୁଣି ସାମ୍ନାକୁ ଆସିଛି ଆନ୍ଧ୍ର ସରକାରଙ୍କ ସାଂଘାତିକ ଷଡ଼୍‌ଯନ୍ତ୍ର। ଓଡ଼ିଆ ପିଲାଙ୍କୁ ସଂପୂର୍ଣ୍ଣ ତେଲୁଗୁ ଭାଷୀ କରିବାକୁ ରୀତିମତ କରିଛନ୍ତି ବଡ଼ ଯୋଜନା। ଫାଟୁସିନେରୀରେ ଜବରଦଖଲ କରି ଖୋଲିଛନ୍ତି ପ୍ରାଥମିକ ବିଦ୍ୟାଳୟ। ଜଣେ ଶିକ୍ଷକ ନିଯୁକ୍ତି ଦେଇ ପିଲାଙ୍କୁ ପ୍ରଲୋଭିତ କରିବା ପାଇଁ ଷ୍ଟାଇପେଣ୍ଡ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଅବହେଳା କାରଣରୁ ବନ୍ଦ ହେବା ଅବସ୍ଥାକୁ ଚାଲି ଆସିଛି।

କୋଭିଡ୍ ପ୍ରଭାବ କମିବା ପରେ ଆନ୍ଧ୍ର ସରକାର ବିଦ୍ୟାଳୟ ଶିକ୍ଷା ପାଇଁ ଅନୁମତି ଦେଇଛନ୍ତି। ଏହିକ୍ରମରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭାଗୀୟ ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ଶିକ୍ଷାଦାନ। ଏଠାରେ ଏକ ଚାଳିଆ ଘରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ବ୍ୟବସ୍ଥା କରିଛନ୍ତି। ବିଜୟନଗର ଜିଲ୍ଲା ସାଲୁର ମଣ୍ଡଳ ପକ୍ଷରୁ ଏହି ବିଦ୍ୟାଳୟ ଖୋଲିଥିବାବେଳେ କିଛିଦିନ ହେଲା ନିୟମିତ ଭାବେ ଓଡ଼ିଶାର ୧୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି। ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ବିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୫ମ ଶ୍ରେଣୀରେ କେହି ଛାତ୍ରଛାତ୍ରୀ ନାହାନ୍ତି। ସଂପୂର୍ଣ୍ଣ ତେଲୁଗୁ ଭାଷାରେ ପିଲାଙ୍କୁ ଶିକ୍ଷାଦାନ ହେଉଥିବା ଦେଖିବାକୁ ମିଳିଛି। ଏହା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ପୋଷ୍ଟର ମାରି କ’ଣ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି, ତାହାର ପ୍ରଚାର ବି ଏହି ବିଦ୍ୟାଳୟ କରୁଛି। ସେହିପରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ୧୫ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଟ ସହ ମାଗଣାରେ ବହିପତ୍ର, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି ଦିଆଯାଉଛି।