ଭିଜିଲାନ୍ସ ଜାଲରେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ; ଘରୁ ମିଳିଲା ନଗଦ ୪ କୋଟି

ଭୁବନେଶ୍ୱର, ୨୫/୦୨ : ଗିରଫ ହେଲେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି। ଖଣି ଅଧିକାରୀଙ୍କ ଗିରଫ ନେଇ ଭିଜିଲାନ୍ସ ଏସ୍‌ପି ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍‌ରେ ନଗଦ ଟଙ୍କା ଜବତରେ ଏହା ସର୍ବାଧିକ ରହିଛି। ରେଡ୍‌ ବେଳେ ଘରୁ ଜବତ ହେଲା ପୁଳାପୁଳା ଓ ଗଦାଗଦା ଟଙ୍କା। ଖଣି ଅଧିକାରୀଙ୍କ ଘରେ ଏକପ୍ରକାର ଟଙ୍କାର ଖଣି ଦେଖିବାକୁ ମିଳିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ ହୋଇଛି। ଦେବବ୍ରତଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ରେଡ ବେଳେ ମିଳିଛି ଏହି ନଗଦ ଟଙ୍କା। ଖଣି ଅଧିକାରୀଙ୍କ ଫ୍ଲାଟରେ ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ମିଳିଛି ଏସବୁ ଟଙ୍କା। ଏମିତିକି ତାଙ୍କ ଅଫିସରୁ ୧ ଲକ୍ଷ ୨୦ ହଜାର ଟଙ୍କା ବି ଜବତ ହୋଇଛି। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ପାଖାପାଖି ୧୩୦ ଗ୍ରାମ୍‌ ସୁନା ମିଳିଛି ବାବୁଙ୍କ ଘରୁ। ଭୁବନେଶ୍ୱର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।

ତେବେ କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ତାଙ୍କ ଚାକିରି କାଳରେ ଏମିତି କେତେ ଟଙ୍କା ଦରମା ପାଉଥିଲେ ଯେ, ଏତେ ଟଙ୍କା ଘୀରେ ଗଚ୍ଛିତ ରଖିଛନ୍ତି। ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ। ମାତ୍ର ୮ ହଜାର ଟଙ୍କାରେ ଦେବବ୍ରତଙ୍କ ସରକାରୀ ଚାକିରି ଆରମ୍ଭ ହୋଇଥିଲା। ୨୦୦୪ ମସିହାରେ ମାଇନିଂ ଅଫିସର ଭାବେ ବଲାଙ୍ଗିରରେ ଚାକିରି କରିଥିଲେ। ପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ ମଧ୍ୟ ମାଇନିଂ ଅଫିସର ଭାବେ କାମ କରିଥିଲେ। ପରେ ବ୍ରହ୍ମପୁର ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଦେବବ୍ରତ। ଗତକାଲି ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଜଣେ ଲାଇସେନସପ୍ରାପ୍ତ କୋଇଲା ଖଣି ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ଭିଜିଲାନ୍ସ ମାଡି ବସିଥିଲା। ଲାଞ୍ଚ ନେଇ ଧରା ପଡ଼ିବା ପରେ ଆରମ୍ଭ ହୋଇଥିଲା ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼। ସଂପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା।