ଭୁବନେଶ୍ୱର,୮ /୧ : ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ବିଜେପି ବିରୋଧ କରି ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିବାବେଳେ ଏବେ କଂଗ୍ରେସ ମାହାଙ୍ଗା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛି । ମାହାଙ୍ଗା ବ୍ଲକ ନୃତାଙ୍ଗ ଗ୍ରାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟି ପିସିସି ସଭାପତି ଓ ଅନ୍ୟ କଂଗ୍ରେସ ନେତାମାନେ ସମବେଦନା ଜଣାଇଛନ୍ତି । ଏହା ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ।
ସ୍ବର୍ଗତ କୁଳମଣିଙ୍କ ଗୃହ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ରାଜନୈତିକ ହିଂସା ପ୍ରଣୋଦିତ ବୋଲି ଅଭିଯୋଗ କରିବା ସହ ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ରାଜନୀତି କରି ବ୍ଲକ ଚେୟାରମ୍ୟାନ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣି ବରାଳ ୨୦୧୮ ମସିହାରେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ପାଇଁ ଅପପ୍ରୟାସ କରୁଛି ବୋଲି ଅଭିଯୋଗ କରି ହତ୍ୟାକାରୀକୁ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଥିଲେ ।