ଦୁବାଇ: ରବିବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୩୬ତମ ମ୍ୟାଚ୍ରେ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍କୁ କିଙ୍ଗସ୍ ଇଲେଭେନ ପଞ୍ଜାବ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ପଞ୍ଜାବ ୧୭୭ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍ କରିଥିଲା । ଫଳରେ ଉଭୟ ଦଳର ରନ୍ ସମାାନ ହେବାରୁ ମ୍ୟାଚ ଟାଇ ହୋଇଥିଲା । ଆଇପିଏଲ୍ ନିୟମ ଅନୁଯାୟୀ ସୁପର ଓଭର ଖେଳା ଯାଇଥିଲା। ଏଥିରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୫ ରନ୍ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଜସପ୍ରୀତ ବୁମରା ୨ଟି ୱିକେଟ ନେଇଥିଲେ । ଅନ୍ୟପକ୍ଷରେ ବିସ୍ମୟଜନକ ଭାବେ ମୁମ୍ବାଇ ମଧ୍ୟ ସୁପର ଓଭରରେ ସେହି ୨ଟି ୱିକେଟ ହରାଇ ୫ ରନ୍ କରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମମଦ ଶାମି ୨ଟି ୱିକେଟ ନେଇଥିଲେ । ଫଳରେ ଉଭୟ ଦଳର ରନ୍ ପୁଣି ଥରେ ସମାନ ହେବାରୁ ନିୟମ ଅନୁଯାୟୀ ଆଉ ଏକ ସୁପର ଓଭର ଖେଳା ଯାଇଥିଲା । ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୧ ରନ୍ ସଂଗ୍ରହ କରିଥିଲା। ମାତ୍ର ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କ୍ରିସ ଗେଲ୍ ଗୋଟିଏ ଛକା ସହିତ ୭ ରନ୍ ଓ ମୟଙ୍କ ଅଗ୍ରଓ୍ୱାଲ୍ ଦୁଇଟି ଚୌକାମାରି ଏହି ରୋମାଞ୍ଚକ ମ୍ୟାଚରେ ଦଳକୁ ବିଜୟ ଦେଇଥିଲେ ।
କ୍ବିଣ୍ଟନ୍ ଡି କକ୍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍ସ ୬ ୱିକେଟ ହରାଇ ୧୭୬ ରନ୍ କରିଥିଲା। ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୬ ୱିକେଟରେ ସମାନ ୧୭୬ ରନ୍ କରି ପାରିଥିଲା। ଏହାକୁ ମିଶାଇ ୯ମ ମ୍ୟାଚ୍ରେ ୩ୟ ବିଜୟ ହାସଲ କରିଛି ପଞ୍ଜାବ। ମୁମ୍ବଇ ୯ମ ମ୍ୟାଚ୍ରେ ୩ୟ ପରାଜୟ ଭୋଗିଛିି।
ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଗୋଟଏ ଦିନରେ ଦୁଇଟି ସୁପର ଓଭର ଦେଖିବାକୁ ମିଳିଥିଲା । ଆଜିର ପ୍ରଥମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ସୁପର ଓଭର ଖେଳ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍ ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ମଧ୍ୟରେ ବି ସୁପର ଓଭର ମାଧ୍ୟମରେ ହାରଜିିିତ ଫଇସାଲା ହୋଇଥିଲା।