ଶ୍ରମିକଙ୍କ ମାସିକ ଦରମା ବୃଦ୍ଧି କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଖୁସି ଖବର। କରୋନା ମହାମାରୀ ସମୟରେ ସଙ୍କଟ ଦେଇ ଗତି କରୁଥିବା ହଜାର ହଜାର ଶ୍ରମିକ ଏବଂ ଅଭାବୀ ଲୋକଙ୍କୁ ଦିଲ୍ଲୀର କେଜ୍ରିୱାଲ୍ ସରକାର କରିବେ ସାହାଯ୍ୟ। ଦିଲ୍ଳୀ ସରକାର ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅନ୍ୟ ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘୋଷଣା ପରେ ଅଣକୁଶଳୀ ଶ୍ରମିକଙ୍କ ମାସିକ ଦରମା ୧୫୪୯୨ ରୁ ବୃଦ୍ଧି ପାଇ ୧୫୯୦୮ ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ୧୭୦୬୯ ରୁ ୧୭୫୩୭ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ମାସିକ ୧୮୭୯୭ ଟଙ୍କାରୁ ବଢି ୧୯୨୯୧ ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଏହି ନିର୍ଦେଶ ୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି।ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ସମସ୍ତ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅନ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ବର୍ଦ୍ଧିତ ହାର ସହିତ ଦେୟ ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ କିରାଣୀ ଏବଂ ସୁପରଭାଇଜର ଶ୍ରେଣୀର କର୍ମଚାରୀମାନେ ମଧ୍ୟ ଏହାର ଲାଭ ପାଇବେ।ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗରିବ ଏବଂ ଶ୍ରମିକ ଶ୍ରେଣୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବଡ ପଦକ୍ଷେପ ନିଆଯାଇଛି। ଏହିପରି ଶ୍ରମିକମାନଙ୍କୁ ଲାଭ ଦେବା ପାଇଁ ଦିଲ୍ଲୀ ସରକାର ମହଙ୍ଗା ଭତ୍ତା ଯୋଗ ଯୋଡି ଏକ ନୂତନ ସର୍ବନିମ୍ନ ମଜୁରୀ ଘୋଷଣା କରିଛନ୍ତି।