ବିହାର,୧୧/୬ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ଜଣେ ପ୍ରବୀଣ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ଆଜି ୭୩ ତମ ଜନମବାର୍ଷିକୀ । ୧୯୪୮ ମସିହା ଜୁନ୍ ୧୧, ବିହାରର ଫୁଲୱରିଆରେ ଜନ୍ମ ଗ୍ରହଣ କରିଥିଲେ ଲାଲୁ ପ୍ରସାଦ ଯାଦବ । ବିହାରର ରାଜନୀତି ଉପରେ ଯେତେବେଳେ ଆଲୋଚନା ହୁଏ ଯେଉଁ ନାମ ନ ନେଇ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯିବ ସେହି ନାମ ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମ । ଲାଲୁ ବିହାରର ନେତା ଯିଏକି ତାଙ୍କ ଭାଷଣ କାରଣରୁ ବିହାରରେ ଯେତିକି ଲୋକପ୍ରିୟ, ସେ ଜାତୀୟ ସ୍ତରରେ ମଧ୍ୟ ଲୋକପ୍ରିୟ ।
ସେ ରାଜନୀତିରେ ୧୯୬୬ ରେ ପ୍ରବେଶ କରିଥିଲେ । ୧୯୬୭ ରୁ ୧୯୬୯ ପର୍ଯ୍ୟନ୍ତ ପାଟନା ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲା । ୧୯୭୦ରେ ବିଏ ପାସ୍ କରି ପାଟନା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ କିରାଣୀ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୭୩ ମସିହାରେ ରାବ୍ରି ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ପାଟନା ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ ପାଇଁ ପୁନଃ ନାମ ଲେଖାଇଲେ । ଲାଲୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ପରେ ୧୯୭୪ ରେ ସମ୍ପୂର୍ଣ୍ଣ ବିହାର ଛାତ୍ର ଆନ୍ଦୋଳନର ମୁଖ୍ୟ ହୋଇଥିଲେ । ଜୟପ୍ରକାଶ ନାରାୟଣଙ୍କ ତତ୍ତ୍ୱାବଧାନରେଛାତ୍ର ଆନ୍ଦୋଳନକୁ ଆଗେଇ ନେଇଥିଲେ । ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୭୫ରେ, ଜରୁରୀକାଳୀନ ସମୟରେ, ତାଙ୍କୁ MISA ଅଧୀନରେ ଗିରଫ କରାଯାଇଥିଲା ।
୧୯୭୭ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ଏହା ପରେ ସେ ୧୯୮୦ ରେ ସୋନପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତା’ପରେ ୧୯୮୫ରେ ସେ ପୁନର୍ବାର ଏହି ବିଧାନସଭା ଆସନରୁ ଜିତିଥିଲେ । ୧୯୯୦ରେ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଗାଦି ସମ୍ଭାଳିଥିଲେ । ତାଙ୍କର ଯାଦୁ ୧୯୯୫ ବିହାର ବିଧାନସଭାରେ ମଧ୍ୟ କାର୍ଯ୍ୟ କରିଥିଲା, ଏବଂ ଦଳ ନିର୍ବାଚନରେ ଜିତିଥିଲା । ଆଉ ଲାଲୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୬ ମସିହାରେ, ସେ ଜନତା ଦଳର ସଭାପତି ହୋଇଥିଲେ । ଏହା ପରେ, ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୯୭ ମସିହାରେ ଜନତା ଦଳ ଭାଙ୍ଗି ବିଭାଜିତ ହେଲା ଏବଂ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରିୟ ଜନତା ଦଳ ଗଠନ କଲେ ।