ଲାଞ୍ଜିଗଡ଼,୪/୧୦: ଲାଞ୍ଜିଗଡ଼ ବ୍ଲକର ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର । ଜୟପୁର ଓ ଭବାନୀପାଟଣାରୁ ଆସିଥିବା ଏକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଆଜି ଅପରାହ୍ନରେ ତାଙ୍କ କାର୍ୟ୍ୟାଳୟ ପରିସରରୁ ତାଙ୍କୁ ରଙ୍ଗବୋଳା ୮୦ ହଜାର ଟଙ୍କା ସହ ଗିରଫ କରିଛନ୍ତି।
ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକରେ ଛତୁଆ ପ୍ରସ୍ତୁତ କରୁଥିବା ପାଞ୍ଚଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ବିଲ୍ ବାବଦକୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବାକୁ ଅନୁରୋଧ କରିଥିବାବେଳେ ଏଥିପାଇଁ ସିଡିପିଓ ମୀନା କୁମାରୀ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ସଂପୃକ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇବା ସହିତ ଆଜି ଅପରାହ୍ନରେ ତାଙ୍କ କାର୍ୟ୍ୟାଳୟରେ ୮୦ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ଚଢ଼ଉ ଜାରି ରହିଛି। ଆଜି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମର କର୍ମକର୍ତ୍ତା ସାମିଲ ହୋଇଥିଲେ।