ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧/୯ : ଆଜି ଲୋଧି ଶ୍ମଶାନ ଘାଟରେ ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ସମ୍ମାନ ସହିତ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହାପୂର୍ବରୁ ମୃତଦେହକୁ ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର)ରୁ ରାଜଜୀ ମାର୍ଗରେ ଥିବା ସରକାରୀ ବାସଭବନକୁ ଅଣାଯାଇଥିଲା। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆଜି ସକାଳ ୯.୩୦ରେ ସେନାର ଆର ଆଣ୍ଡ ଆର ହସ୍ପିଟାଲରୁ ଅଣାଯାଇ ଅପରାହ୍ନ ୨ଟାରେ ଲୋଧି ଶ୍ମଶାନ ଘାଟରେ ଶବଦାହ କରାଯାଇଥିଲା। ସ୍ଵର୍ଗତଃ ମୁଖାର୍ଜୀ କରୋନା ପଜିଟିଭ୍ ଥିଲେ ତେଣୁ ତାଙ୍କ ଅନ୍ତିମ ସଂସ୍କାରରେ ଖୁବ୍ କମ୍ ଲୋକ ଯୋଗ ଦେଇଥିଲେ । ସମସ୍ତେ ପିପିଇ କିଟରେ ଥିଲେ । ପୁଅ ଅଭିଜିତ୍ ମୁଖାର୍ଜୀ ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନେ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।