ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ, କାହା ଆଖିରୁ ଶୁଖୁନି ଲୁହ

0

ପୁରୀ: ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳଙ୍କର ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସତ୍ୟବାଦୀ ଖଣ୍ଡାୟତ ସାହିର ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ବୀର ଯବାନଙ୍କୁ ଶେଷ ବିଦାୟ ଦେଉଛନ୍ତି ଗ୍ରାମବାସୀ । ଆଖିରେ ଲୁହ ଏବଂ ଛାତିରେ କୋହ ଧରି ଦେବାଶିଷଙ୍କୁ ଝୁରୁଛି ଗାଁର ଆମ୍ବ ତୋଟା ଆଉ ନଦୀ ପଠା । କିନ୍ତୁ ସମସ୍ତଙ୍କଠୁ ମେଲାଣି ନେଇ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ୱାଳ ।

ସେନାବାହିନୀ ପକ୍ଷରୁ ସହୀଦଙ୍କୁ ତୋପ ସଲାମ ସହ ଶେଷ ବିଦାୟ ଦିଆଯାଇଛି । ତାଙ୍କର ଶେଷ କ୍ରିୟାରେ ଶ୍ମଶାନରେ ଲାଗିଛି ହଜାର ହଜାର ଲୋକଙ୍କ ଭିଡ । ସାଙ୍ଗ, ସାଥୀ, ବନ୍ଧୁ, ପ୍ରିୟଜନ ସମସ୍ତେ ଧାଇଁ ଆସିଛନ୍ତି ଦେବାଶିଷଙ୍କୁ ଶେଷ ଥର ଦେଖିବା ପାଇଁ । ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।

ଏ ମାଟି ମା’ର କୋଳ ଶୂନ୍ୟ କରି ଚାଲିଗଲା ତାର ସୁଯୋଗ୍ୟ ସନ୍ତାନ । ଏମିତି ଯୋଦ୍ଧା ପୁଅ ପାଇଁ ମା’ ଗର୍ବିତ ନିଶ୍ଚୟ । ହେଲେ ଶୂନ୍ୟ କୋଳକୁ ଚାହିଁଦେଲେ ଛାତି ଫାଟି ଯାଉଛି । ଆଖିରୁ ଲୁହ ନୁହେଁ ଯେମିତି ଲହୁ ନିଗିଡି ଆସୁଛି । ଜନ୍ମମାଟିରେ ଜନସମୁଦ୍ର । ଗାଁ ମାଟି କମ୍ପୁଛି.. ସହିଦ ଦେବାଶିଷ ଅମର ରହେ ଧ୍ୱନିରେ । ସେ ଶବ୍ଦ ଭିତରେ ହଜି ଯାଉଛି ପତ୍ନୀର ଛାତି ଫଟା କାନ୍ଦ । ୭ ମାସର କୁନି ଝିଅ  ଜାଣେନି…ବାପା ଡାକର ତାର ସବୁଦିନ ପାଇଁ ହଜିଗଲା ବୋଲି । ସମସ୍ତଙ୍କ କାନ୍ଦ ଦେଖି ସେ ଖାଲି  କାନ୍ଦୁଛି ।  ବାପା-ମା, ଜେଜେ ବାପା, ଜେଜେ ମା’ ସମସ୍ତେ  ସ୍ତବ୍ଧ । ଯାହାର କାନ୍ଧରେ ଦିନେ ସେ ଶେଷ ଯାତ୍ରା କରିଥାନ୍ତେ ଆଜି ତାର ଶେଷ ଯାତ୍ରା ଏ ଆଖି ଦେଖୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ଗାଁ ସାକ୍ଷୀଗୋପାଳ ନିକଟ ଖଣ୍ଡାୟତ ସାହି ଗାଁରେ ।

Leave A Reply

Your email address will not be published.