ସିଆରପିଏଫ ଯବାନଙ୍କୁ ଅନ୍ତିମ ବିଦାୟ : ୪ ବର୍ଷର ପୁଅ ଦେଲା ମୁଖାଗ୍ନି

ରାୟପୁର,୧୧/୧୧ : ଛତିଶଗଡ଼ ସୁକମାରେ ନିଜ ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସିଆରପିଏଫ ଯବାନ ଧର୍ମେନ୍ଦ୍ର ସିଂହଙ୍କ ଅନ୍ତିମ ସଂସ୍କାର ବୁଧବାର ସକାଳ ୮ଟା ରେ ଗରୁଡା ଗ୍ରାମରେ ସୈନ୍ୟ ସମ୍ମାନ ସହ କରାଯାଇଛି। ତାଙ୍କ ୪ ବର୍ଷର ପୁଅ ମୁଖାଗ୍ନି ଦେଇଛି। ମୁଖାଗ୍ନି ଦେବେ ବେଳେ ୪ ବର୍ଷର ପୁଅ ନିଜ ଭଉଣୀମାନଙ୍କୁ ବାରମ୍ବାର ପଚାରୁଥାଏ, ବାପା କୁଆଡେ ଚାଲିଯାଇଛନ୍ତି। କିନ୍ତୁ କେହି କିଛି ଜବାବ ଦେଇ ପାରୁନଥିଲେ। ଏହି ଦୃଶ୍ୟ ଦେଖି ହଜାର ହଜାର ଲୋକଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଯବାନଙ୍କ ପତ୍ନୀ ସୁନିତା ଦେବୀଙ୍କ ଛତିଥରା କ୍ରନ୍ଦନ ଓ ୩ ଶିଶୁଙ୍କ କାନ୍ଦ ଦେଖି ସେଠାରେ ଉପସ୍ଥିତ ଲୋକେ ଭାବୁକ ହୋଇଯାଇଥିଲେ।

ଦାହ ସଂସ୍କାର ପୂର୍ବରୁ ସିଆରପିଏଫ ୪୭ ବାଟାଲିୟନର ବିଜେନ୍ଦ୍ର ସିଂହ ଭାଟିଙ୍କ ନେତୃତ୍ୱରେ ଧର୍ମେନ୍ଦ୍ର ସିଂହଙ୍କୁ ଅନ୍ତିମ ସଲାମି ଦିଆଯାଇଥିଲା। ସେତେବେଳେ ୩ ଶିଶୁ ମଧ୍ୟ ବାପାଙ୍କୁ ସଲାମି ଦେଇଥିଲେ। ଧର୍ମେନ୍ଦ୍ର ସିଂହ ଅମର ରହେ ନାରାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ରବିବାର ରାତିରେ ସୁକମାରେ କେନ୍ଦ୍ର ରିଜର୍ଭ ପୋଲିସ ଫୋର୍ସର ଯବାନ ନିଜ ସହକର୍ମୀଙ୍କୁ AK-47 ରେ ଗୁଳି କରିଦେଇଥିଲେ। ଘଟଣାରେ ୪ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଗରୁଡା ଗ୍ରାମର ଧର୍ମେନ୍ଦ୍ର ସିଂହ ମଧ୍ୟ ସାମିଲ ଥିଲେ। ମଙ୍ଗଳବାର ରାତିରେ ଯବାନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା।