ନୂଆଦିଲ୍ଲୀ, ୦୪/୧୦ : ଲୋକପ୍ରିୟ ଫିଲ୍ମମେକର, ସ୍କ୍ରିନ୍ରାଇଟର ଏବଂ କମ୍ପୋଜର ସିଙ୍ଗୀତମ୍ ଶ୍ରୀନିବାସ ରାଓ ଆଉ ଆମ ଗହଣରେ ନାହାନ୍ତି । ୯୪ ବର୍ଷ ବୟସରେ ସିଙ୍ଗୀତମ୍ ଶ୍ରୀନିବାସ ରାଓଙ୍କ ପରଲୋକ ଘଟିଛି । ପୁଷ୍ପକ ବିମାନ ଏବଂ ଆଦିତ୍ୟ ୩୬୯ ଭଳି ଫିଲ୍ମ ପାଇଁ ପରିଚିତ ସିଙ୍ଗୀତମ୍ । ତାଙ୍କର ୬ ଦଶନ୍ଧିରୁ ଅଧିକ ଲମ୍ବା ଫିଲ୍ମ କ୍ୟାରିୟରରେ ତେଲୁଗୁ, ତାମିଲ, କନ୍ନଡ଼, ହିନ୍ଦୀ ସମେତ ବିଭିନ୍ନ ଭାଷାରେ ଫିଲ୍ମ ନିର୍ମାଣ କରିଥିଲେ । ସାରା ଦେଶରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ତାଙ୍କ ପରଲୋକ ଖବର ପ୍ରଚାର ହେବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଚର୍ଚ୍ଚିତ କଳାକାର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନିଜର ପରୀକ୍ଷାମୂଳକ ଫିଲ୍ମ ପାଇଁ ପରିଚିତ ସିଙ୍ଗୀତମ୍ ତେଲୁଗୁ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ୯୪ ବର୍ଷ ବୟସରେ ମଧ୍ୟ ସେ ନିଜର ଶେଷ ଫିଲ୍ମ ସିଙ୍ଗ ଗୀଥମ୍ ର ନିର୍ଦ୍ଦେଶନା ଦେଇଥିଲେ । ଜଣାପଡ଼ିଛି ଯେ, ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘଦିନର ଫିଲ୍ମ କ୍ୟାରିୟରରେ ସିଙ୍ଗୀତମ୍ ଦର୍ଶକଙ୍କୁ ବିଭିନ୍ନ ଧରଣର ଫିଲ୍ମ ଭେଟି ଦେଇଥିଲେ ଏବଂ ଭାରତୀୟ ସିନେମା ଇତିହାସରେ ଏକ ବିଶେଷ ସ୍ଥାନ ହାସଲ କରିଥିଲେ । ତାଙ୍କ ଦେହାନ୍ତରେ ଜୁନିୟର ଏନ୍ଟିଆର୍, କମଲ ହାସନ, ଏସ୍ଏସ୍ ରାଜାମୌଲି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବୈଜୟନ୍ତୀ ମୁଭିଜ୍ ଏବଂ ସ୍ୱପ୍ନା ସିନେମା ବ୍ୟାନରରେ ନାଗ ଅଶ୍ୱିନ୍ଙ୍କ ଦ୍ୱାରା ପ୍ରଯୋଜିତ ସିଙ୍ଗ ଗୀଥମ୍କୁ ଏକ ମ୍ୟୁଜିକାଲ୍ ଫ୍ୟାଣ୍ଟାସି ଭାବେ ନିର୍ମାଣ କରାଯାଇଥିଲା । ଯାହା ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ୬୧ତମ ଫିଲ୍ମ ଥିଲା । ଏଥିସହ ସିଙ୍ଗୀତମ୍ ଶ୍ରୀନିବାସ ରାଓଙ୍କୁ ଦୁଇଟି ଜାତୀୟ ପୁରସ୍କାର, ପାଞ୍ଚଟି ନନ୍ଦୀ ପୁରସ୍କାର ଏବଂ ତିନୋଟି କର୍ଣ୍ଣାଟକ ରାଜ୍ୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।