କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ, ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୧୨/୦୪ : କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ସନ୍ଧ୍ୟାରେ ହୃଦ୍‌ଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଏହି ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗାୟିକାଙ୍କୁହସ୍ପିଟାଲ୍‌ର ‘ଇମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ (ଇଏମ୍‌ଏସ୍‌)’ ୟୁନିଟ୍‌ରେ ରଖାଯାଇଛି। ଆଶା ହୃଦଘାତର ଶିକାର ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଥିଲେ। ଆଶାଜୀ ଶନିବାର ସନ୍ଧ୍ୟାରେ ହୃଦ୍‌ଘାତ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ଏବଂ ସେ ଜୀବନ ରକ୍ଷାକାରୀ ବ୍ୟାବସ୍ଥା ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି। ଆଶା ଭୋସଲେ ବଲିଉଡ ଲିଜେଣ୍ଡ୍ରି ସିଙ୍ଗରଙ୍କ ମଧ୍ୟରେ ଅନ୍ୟତମ। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଆସୁଛନ୍ତି। ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତକୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରିଥିବା ଆଶା ଭୋସଲେ ହଜାର ହଜାର ଗୀତ ଗାଇଛନ୍ତି। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ମ୍ୟୁଜିକ୍ କମ୍ପୋଜର ସଜ୍ଜାଦ ହୁସେନଙ୍କ ଏହି ଆଲବମ ଆଶାଙ୍କୁ ପ୍ରସିଦ୍ଧି ଦେଇଥିଲା। ୧୯୫୭ରେ ମୁକ୍ତି ଲାଭ କରିଥିବା ବି.ଆର.ଚୋପ୍ରାଙ୍କ ଫିଲ୍ମ ‘ନୟା ଦୌର’ ଫିଲ୍ମରେ କଣ୍ଠଦାନ କରି ଆଶା ସଫଳତାର ଅସଲ ସ୍ୱାଦ ଚାଖିଥିଲେ।ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି। ଏହି ଖବର ପାଇବା ପରେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ସେଲାର ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଆଶାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ହସ୍ପିଟାଲ୍‌ରେ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ବଲିଉଡ୍ କଳାକାରଙ୍କ ଠାରୁ ଆରମ୍ଭ କରି କୋଟି କୋଟି ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।