୪ ବର୍ଷର ଝିଅକୁ ବୋହିନେଲା କଲରାପତରିଆ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଜିଲ୍ଲାର ବଡ଼ଗାମ ଜିଲ୍ଲାରେ ଜଣେ ୪ ବର୍ଷୀୟ ଝିଅକୁ ଗୋଟାଏ କଲରାପତରିଆ ମାରି ପକାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ଆଧା ୟାସିର୍‌ ନାମ୍ନୀ ସେ ଝିଅଟି ଓଁପଡ଼ା ହାଉସିଙ୍ଗ୍‌ କଲୋନିସ୍ଥିତ ତାଙ୍କ ବାସଭବନ ଲନ୍‌ରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ଶୁକ୍ରବାର ସକାଳେ ତଲାସ ଅଭିଯାନ ସମୟରେ ନିକଟବର୍ତ୍ତୀ ବଣରୁ ଝିଅଟିର ଦେହାବଶେଷ ଠାବ କରାଯାଇଥିବା କଥା ସେମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ୭.୪୦ରେ ୟାସିର୍‌ ଲନ୍‌ରେ ଖେଳୁଥିବା ବେଳେ ତା’ର ବାପାମାଆ ଆର୍ତ୍ତନାଦ ଶୁଣି ବାହାରକୁ ଧାଇଁ ଆସିଥିଲେ। କିନ୍ତୁ, ଝିଅକୁ ପାଇ ନ ଥିଲେ। ସେମାନେ ପଡ଼ୋଶୀ ଓ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପରେ ବ୍ୟାପକ ତଲାସ ଆରମ୍ଭ ହୋଇଥିଲା। ପ୍ରାୟ ଘଣ୍ଟାଏ ପରେ ସ୍ଥାନୀୟ ବାସିନ୍ଦାମାନେ କଲୋନିକୁ ବେଢ଼ିଥିବା ଅରଣ୍ୟରୁ ନିରୁଦ୍ଦିଷ୍ଟ ଝିଅର ହାର ଓ ଚପଲ ପାଇଥିଲେ। ତେବେ ଯାଇ, ଝିଅଟିକୁ କଲରାପତରିଆ ଉଠାଇ ନେଇଥିବା ସନ୍ଦେହ ହୋଇଥିଲା। ଶୁକ୍ରବାର ସକାଳେ ସେମାନଙ୍କ ଆଶଙ୍କା ସତ ହେଲା। ଘର ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ଜଙ୍ଗଲ ନର୍ସରିରୁ ପୁଲିସ ୟାସିର୍‌ର କ୍ଷତବିକ୍ଷତ ଶବ ଠାବ କରିଥିଲା।

ଭବିଷ୍ୟତରେ ଏଭଳି ଅଘଟଣ ରୋକିବା ଲାଗି କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବା ଲାଗି ଡେପୁଟି କମିସନର୍‌ ଶାହବାଜ ମିର୍ଜା ବରିଷ୍ଠ ପୁଲିସ ଅଧିକାରୀ ଏବଂ ବନ ଓ ବଣ୍ୟଜନ୍ତୁ ବିଭାଗର ଅଧିକାରୀମାନଙ୍କର ଏକ ବୈଠକ ଡକାଇଛନ୍ତି।