ଭୁବନେଶ୍ୱର, ୫/୭ : ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି। ହାତୀ ସୁରକ୍ଷା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ କେବଳ କାଗଜକଲମରେ ସୀମିତ ରହିଯାଇଛି। ଗତ ଏକମାସ ମଧ୍ୟରେ ରାଜ୍ୟରେ ୧୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯାହାକି ବିଶ୍ୱର ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି। ଏଥିପାଇଁ ଭଏସ ଫର ଏସିଆନ ଏଲିଫ୍ୟାଣ୍ଟସ ସୋସାଇଟି (ଭିଏଫଏଇଏସ) ନିର୍ବାହୀ ନିର୍ଦେଶିକା ସଙ୍ଗୀତା ଆୟାର ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ହରିଶଙ୍କର ଉପାଧ୍ୟାୟଙ୍କୁ ଦାୟୀ କରିଛନ୍ତି। ଶ୍ରୀ ଉପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଗୀତା ଆୟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସଙ୍ଗୀତା ତାଙ୍କ ଅଭିେଯାଗରେ ଦର୍ଶାଇଛନ୍ତି ଯେ ୨୦୧୯ ଅକ୍ଟୋବର ମାସରୁ ୨୦୨୦ ଜୁନ ମାସ ମଧ୍ୟରେ ୫୮ ହାତୀଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୨୫ଟି ହାତୀଙ୍କର ଅପ୍ରାକୃତିକ ମୃତ୍ୟୁ ଘଟିଥିବା ବେଳେ ୮ଟି ହାତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୮ମାସ ମଧ୍ୟରେ କେବଳ ହାତୀ ନୁହନ୍ତି, ହାତୀ ଆକ୍ରମଣରେ ୮୫ଜଣ ମଣିଷଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୧୯ଜଣ ଆହତ ହୋଇଛନ୍ତି। ଏତଦବ୍ୟତୀତ ଦୁଇଟି ଚିତାବାଘ ମୃତଦେହ ମିଳିଥିଲା ବେଳେ ୬ଟି ବାଘଛାଲ ଜବତ ହୋଇଛି। ରାଜ୍ୟରେ ହାତୀ ମୃତ୍ୟୁହାର ଉଦବେଗଜନକ ଭାବେ ବଢି ଚାଲିଥିବା ନେଇ ଓଡିଶା ବନ୍ୟପ୍ରାଣୀ ସୋସାଇଟି ପକ୍ଷରୁ ମଧ୍ୟ ବନ୍ୟପ୍ରାଣୀ ବିଭାଗକୁ ସତର୍କ କରାଯାଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ମୁଖ୍ୟ କର୍ଣ୍ଣପାତ କରିନାହାନ୍ତି।