ଏଣିକି ଆରଟିଓ ଅଫିସରେ ଉଠିଯିବ ଧାଡ଼ି ବ୍ୟବସ୍ଥା,ଲୋକେ ବସିବେ ଚୌକିରେ

କଟକ,୨ /୨ : ରାଜ୍ୟ ସରକାରଙ୍କ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଯାହାଦ୍ୱାରା ଆରଟିଓ ଅଫିସମାନଙ୍କରେ ଆଉ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନାହଁ। ଚୌକିରେ ଲୋକ ବସିରହିବେ, ସେମାନଙ୍କ ସବୁ କାମ ସୁରୁଖୁରୁରେ ‌ହେବ। ବଡ ଡିସପ୍ଲେ ସ୍କ୍ରିନରେ ସେମାନଙ୍କ କାମ କେତେ ବାଟ ଆଗେଇଛି, କେତେବେଳେ ଶେଷ ହେବ, ସେ ସୂଚନା ଜାରି କରାଯିବ। ଫଳରେ ଡ୍ରାଇଭିଂ ଲାଇସେନସ ପାଇଁ ସ୍ଲଟ ବୁକିଂ ହେଉ କି ଚାଲାଣ କାଟିବା ଓ ଅନ୍ୟାନ୍ୟ ସେବା ସହଜରେ ମିଳିପାରିବ। ଏଥିପାଇଁ

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୨ କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଯୋଜନା ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅନୁଗୁଳ, ବ‌ାଲେଶ୍ବର, ଭଦ୍ରକ, ଭୁବନେଶ୍ବର-୧, କଟକ, ଗଂଜାମ, ପୁରୀ, ଭୁବନେଶ୍ବର ଆରଟିଓ-୨ରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଲୋକଙ୍କୁ ଏଭଳି ସୁବିଧା ମିଳିପାରିବ। ଏହାଦ୍ବାରା ଆରଟିଓ ଅଫିସରେ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହେଉଥିବା ଲୋକଙ୍କୁ ଆଉ କଲବଲ ହେବାକୁ ପଡିବ ନାହିଁ।