ଭୁବନେଶ୍ୱର,୧୮/୫: ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଲକଡାଉନର ଅବଧିକୁ ଜୁନ ୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି ।
ସୂଚନାନୁସାରେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ଚେନ୍ରେ ବ୍ରେକ ଦେବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ଏହି ସମୟରେ କଡାକଡି ଚେକିଂ ହୋଇଥିଲା । ଦୋକାନ, ବଜାର, ସପିଂ ମଲ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ କଟକଣାରୁ ଜରୁରୀକାଳିନ ସେବା ଓ ସେବା ଯୋଗାଉଥିବା କର୍ମଚାରୀଙ୍କୁ ବାଦ୍ ଦିଆଯାଇଥିଲା । ଏବେ କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ ।
କିନ୍ତୁ ଏହା ସତ୍ତ୍ୱେ ସଂକ୍ରମଣ କମୁନଥିବା ନଜର ଆସିଛି । ଏବେବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି । ଆହୁରି ମଧ୍ୟ ଅମାନିଆ ଚେତୁନାହାଁନ୍ତି । ଏସବୁକୁ ନଜରରେ ରଖି ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ୧୩ ଦିନ ବଡିଛି ଲକଡାଉନ୍ । ଏହାକୁ ଜୁନ ୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି ।
ଓଡିଶାରେ ଏବେ ବାହାଘର ସମାରୋହରେ ବର୍ତ୍ତମାନ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।