ଜୟପୁର: କୋଭିଡ୍-୧୯ ସଂକ୍ରମଣ ବିସ୍ତାର ରୋକିବା ଉଦ୍ଦେଶ୍ୟରେ ୧୦ ମେ ରୁ ୨୪ ମେ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘କଠୋର ଲକ୍ଡାଉନ୍’ ଜାରି କରିବା ଲାଗି ଗୁରୁବାର ଦିନ ରାଜସ୍ଥାନ ସରକାର ସ୍ଥିର କରିଛନ୍ତି। ମେ ୧୦ ତାରିଖ ଭୋର୍ ୫ଟାରୁ ରାଜସ୍ଥାନରେ ଲାଗୁ ହେବାକୁ ଥିବା ଏହି ଲକ୍ଡାଉନ୍ ମେ ୨୪ ତାରିଖ ଭୋର୍ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ରାଜ୍ୟବ୍ୟାପୀ ଲକ୍ଡାଉନ୍ ପ୍ରଣୟନ କରିବା ଲାଗି ଏକ ଭର୍ଚ୍ୟୁଆଲ୍ ବୈଠକରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଥିଲା। ସାମ୍ପ୍ରତିକ ମହାମାରୀ ପରିସ୍ଥିତି କାରଣରୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ‘ଲକ୍ଡାଉନ୍’ ଅପରିହାର୍ଯ୍ୟ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା। ଗତକାଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ‘ଲକ୍ଡାଉନ୍’ ହିଁ ଏକମାତ୍ର ଉପାୟ। ଯୋଜନାବଦ୍ଧ ଭାବେ ଲାଗୁ କରାଗଲେ ଦେଶବ୍ୟାପୀ ଲକ୍ଡାଉନ୍ ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ସହାୟକ ହୋଇପାରେ।
ଲକ୍ଡାଉନ୍ ମେ ୨୪ ତାରିଖ ପର୍ଯ୍ୟନ୍ତ ଘୋଷିତ ହୋଇଥିଲେ ବି ରାଜସ୍ଥାନରେ ମେ ୩୧ ପର୍ଯ୍ୟନ୍ତ ସରକାର ସର୍ବସାଧାରଣରେ ଆୟୋଜନ ହେଉଥିବା ବିବାହ ଅନୁଷ୍ଠାନ ଉପରେ ନିଷେଧାଦେଶ ଜାରି କରାଯାଇଛି। କିନ୍ତୁ ଅଦାଲତ ବାହାଘର ପାଇଁ ଅନୁମତି ଦିଆଯିବ। ଯଦି ଘର ଭିତରେ ବାହାଘର ଆୟୋଜନ ନିମନ୍ତେ ସୁବିଧା ଥିବ, ତେବେ ସେଥିରେ ୧୧ଜଣରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି।