ସୁନ୍ଦରଗଡ଼, ୨୯/୧୦ : ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରେ ୨୨ଟିକିଆ ହାତୀପଲ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀମାନେ ଏହି ଅଂଚଳରେ ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ପହଂଚି ଧାନ ଫସଲକୁ ବ୍ୟାପକ ନଷ୍ଟ କରୁଛନ୍ତି । ହାତୀପଲଙ୍କ କାରଣରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହା ଅଞ୍ଚଳରେ ଏକର ଏକର ଧାନ ଫସଲ ହାତୀପଲ ନଷ୍ଟ କରି ଦେଇଛନ୍ତି। ଉକ୍ତ ଅଞ୍ଚଳରେ ପ୍ରାୟ ୩ ଦିନ ଧରି ହାତୀପଲଙ୍କ ଉତ୍ପାତ ଯୋଗୁଁ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ହାତୀମାନେ କେବଳ ଧାନଫସଲ ନଷ୍ଟ କରୁନାହାନ୍ତି ବରଂ ଲୋକଙ୍କ ଘରଦ୍ୱାର ଭାଙ୍ଗିଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ସେହିପରି ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲା ପରେ ଘରୁ ବାହାରକୁ ବାହାରୁ ନାହାନ୍ତି । ହାତୀପଲଙ୍କୁ ବନ ବିଭାଗ ଘଉଡ଼ାଇଥିଲେ ମଧ୍ୟ ହାତୀମାନେ ପୁଣି ଫେରିଆସୁଥିବା ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି।