୨୪ଘଣ୍ଟା ମଧ୍ୟରେ ଲଘୁଚାପ, ୧୦ରୁ ପ୍ରବଳ ବର୍ଷା

ଭୁବନେଶ୍ବର,୯/୬ : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ସକ୍ରିୟ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଘନୀଭୁତ ହୋଇ ୱେଲ ମାର୍କଡ଼ ଲୋ ପ୍ରେସରରେ ପରିଣତ ହେବ ​‌େ‌ବାଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ଫଳରେ ୧୦ରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ସକ୍ରିୟ ହେବା ସହିତ ଓଡ଼ିଶାକୁ ମୌସୁମି ଆଣିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ଆଇଏମଡ଼ି ପକ୍ଷରୁ ଜାରି ସ୍ବତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨ଦିନରେ କେନ୍ଦ୍ରୀୟ ଆରବ ସାଗର, ଗୋଆ, କୋଙ୍କଣ, କର୍ଣ୍ଣାଟକ, ରାୟଲସୀମା, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ ସମେତ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ଓ ଉତ୍ତରପୂର୍ବ ରାଜ୍ୟକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ତେବେ ପରବର୍ତ୍ତୀ ୨ ଦିନରେ ମହାରାଷ୍ଟ୍ର ଓ ତେଲଙ୍ଗାନାର ଅଧିକ କିଛି ଅଞ୍ଚଳକୁ ପ୍ରବେଶ କରିବ। ବଙ୍ଗୋପସାଗରର ଅବଶିଷ୍ଟ ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ,ଗାଙ୍ଗେୟ ପଶ୍ଚିମବଙ୍ଗ ସହିତ ଓଡ଼ିଶାର କିଛି ଅଞ୍ଚଳକୁ ୧୨ ତାରିଖ ସୁଦ୍ଧା ମୌସୁମି ପ୍ରବେଶ କରିବାର ସମ୍ଭାବନା ରହିଛି।