ଭୁବନେଶ୍ବର, ୨୧/୦୭ : ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରାଜ୍ୟରେ ଏବେ ଜାରି ରହିଛି ମୌସୁମୀ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ । ଆଜି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୨ ଓ ୨୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖ ଯାଏ ବର୍ଷା ସମ୍ଭାବନା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
