ଭୁବନେଶ୍ୱର, ୨୭/୦୯ : ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡ଼ିଶା। ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ୩୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ। ଏହାର ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଯଦି ପାଣିପାଗ ସ୍ଥିତି ଅନୁକୂଳ ରୁହେ ତେବେ ୨ ତାରିଖ ବେଳକୁ ଏହା ଅବପାତ ରୂପ ନେଇ ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନରେ ଦକ୍ଷିଣ ଓଡ଼ିଶାରେ ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ପ୍ରଭାବରେ କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ମଧ୍ୟ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହାପରେ ଆଗାମୀ ଦୁଇ ଦିନ ପାଗ ଶୁଖିଲା ରହିପାରେ।
