ଲଘୁଚାପ ବର୍ଷା : ୧୪ ଜିଲ୍ଲାକୁ ସତର୍କ ସୂଚନା, ୪୫ ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ବର, ୨୦/୮ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଆଗାମୀ କିଛି ସମୟ ମଧ୍ୟରେ ଉତ୍ତର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେଥିଲାଗି ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସେ ସମସ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବୌଦ୍ଧରେ ବର୍ଷା ଆଶଙ୍କା ନେଇ ସେଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ବର୍ଷା ସମୟରେ ଉକ୍ତ ଜିଲ୍ଲାମାନଙ୍କରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି | ତେବେ ବିଗତ ଦୁଇମାସର ଅର୍ଥାତ ଜୁନ୍ ୧ରୁ ଅଗଷ୍ଟ ୧୯ ମଧ୍ୟରେ ରାଜ୍ୟରେ ହାରାହାରି ୭୩୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚଳିତବର୍ଷ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ସାଲେପୁରରେ ସର୍ବାଧିକ ୩୦୦ ମିଲିମିଟର ବୃଷ୍ଟିପାତ ହୋଇଥିବାବେଳେ ନିଶ୍ଚିତକୋଇଲିରେ ୨୯୭.୫ ମିଲିମିଟର ଏବଂ ନବରଙ୍ଗପୁରରେ ୨୪୩ ମିଲିମିଟର ବର୍ଷା ହୋଇଛି।