ପୁଣି ବଢ଼ିଲା ଘରୋଇ ଗ୍ୟାସ ଦର: ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ରେଟ୍

ନୂଆଦିଲ୍ଲୀ, ୧୯/୫: ଦିନକୁ ଦିନ ସବୁ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଛି । ଏହାର ମଧ୍ୟରେ ସାଧାରଣ ଜନତାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ପୁଣି ବଢ଼ିଯାଇଛି ଘରୋଇ ଏଲପିଜି ଗ୍ୟାସ୍ ଦାମ୍ । ଆଜି ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୩ ଟଙ୍କା ୫୦ ପଇସା ବଢ଼ିଛି । ଯାହାଫଳରେ ସିଲିଣ୍ଡର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିଛି । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ବଢ଼ିଛି ।

ତେବେ ମେ’ ୭ ରେ ଘରୋଇ ଗ୍ୟାସ୍ ଦର ୫୦ ଟଙ୍କା ବଢ଼ିଥିଲା । ଭୁବନେଶ୍ୱରରେ ବର୍ତ୍ତମାନ ଏଲପିଜି ଗ୍ୟାସ ଦର ୧୦୨୯ ଟଙ୍କା ହୋଇଛି । ଘରୋଇ ଗ୍ୟାସ ସହ ବଢ଼ିଛି କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୮ ଟଙ୍କା ମହଙ୍ଗା ହୋଇଛି ।

ଅନ୍ୟପଟେ ଗତ ଏକ ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ୮୦୯ରୁ ୧୦୦୩ ଟଙ୍କାକୁ ବୃଦ୍ଧି ପାଇଛି । ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ୧୦୦୩ ଟଙ୍କାରେ ମିଳିବ । ଏହା ସହ କୋଲକାତାରେ ୧୦୨୯ ଟଙ୍କା ଓ ଚେନ୍ନାଇରେ ୧୦୧୯.୫ ଟଙ୍କାରେ ବିକ୍ରି ହେଉଛି ଘରୋଇ ଗ୍ୟାସ୍ ।