ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ସକାଳ ୬ଟା ୨୦ରୁ ହାଣ୍ଡିଛାଡ

ମାର୍ଚ୍ଚ ୩ ତାରିଖରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ଦୋଳ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ । ଗ୍ରହଣ ଓ ପରାଗର ଏହି ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳ ରେଖାରେ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ମାର୍ଚ୍ଚ ୩ ତାରିଖରେ ଭାରତୀୟ ସମୟ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ ୩ଟା ୨୦ମିନିଟ ସମୟ ହେଇଥିବ । ଆଂଶିକ ଗ୍ରହଣ ଦିନ ୩ଟା ୨୦ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି । ୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ । ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ । ଆକାଶ ମେଘ ମୁକ୍ତ ରହିଲେ ଏହା ଓଡ଼ିଶାରେ ଆଂଶିକ ଗ୍ରହଣ ଭାବରେ ସନ୍ଧ୍ୟା ୬ଟା ୪୭ ଯାଏ ଦେଖିହେବ । ଜନ ବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ପଡ଼ିଥାଏ । ପୃଥିବୀର ଦୁଇ ପ୍ରକାରର ଛାଇ ରହିଛି । ପ୍ରଥମଟି ଉପଛାୟା ଯାହା ଖାଲି ଆଖିରେ ଦେଖିବା କଷ୍ଟକର ଓ ଦ୍ୱିତୀୟ ଛାୟା ଯାହା ଏକ ଗାଢ଼ା କଳା ରଙ୍ଗର ଛାଇ । ଏହାକୁ ଖାଲି ଆଖିରେ ଦେଖିହୁଏ ।