ମହାକାଳପଡ଼ା,୪ /୨: (କେଶବ ଚରଣ ନାଥ) – କରୋନା ମହାମାରୀ ଯୋଗୁ ମାର୍ଚ୍ଚ -୨୦୨୦ ଶେସାର୍ଦ୍ଧରୁ ଧର୍ମ ଅନୁଷ୍ଠାନଗୁଡିକ ବନ୍ଦ ରଖିବା ନେଇ ପ୍ରଶାସନ ନିର୍ଦ୍ଦେଶ ନାମା ଜାରି କରିଥିଲା । ତଦନୁଯାୟୀ ସଂକ୍ରମଣ ରୋକିବା ଲକ୍ଷ୍ୟରେ ସମସ୍ତ ଦେବାଦେବୀ ମନ୍ଦିରରେ ସର୍ବସାଧାରଙ୍କ ଦର୍ଶନ ବନ୍ଦ କରିଦିଆଯାଇ କେବଳ ମନ୍ଦିରର ନୀତିକାନ୍ତି ଜାରି ରହିଥିଲା । ମହାମାରୀ ସଂକ୍ରମଣ କମିବାରୁ ଜାନୁୟାରୀ -୨୦୨୧ ଠାରୁ ସ୍ଥାନୀୟ ପ୍ରଶାସନ ସ୍ଥିତି ପରଖି ଆବଶ୍ୟକ ସ୍ଥଳେ ମନ୍ଦିର ଖୋଲି ଏସଓପି ମଧ୍ୟରେ ଭକ୍ତଙ୍କୁ ଦେବାଦେବୀ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି । ଏହି ଭାବେ ମହାକାଳପଡ଼ା ବ୍ଲକ ଅଂଚଳର ପ୍ରସିଦ୍ଧ ଦେବିପୀଠ ଦରିଆପାରି ମା’ ରାମଚଣ୍ଡୀ ମନ୍ଦିର ଖୋଲିବାରେ ସ୍ଥାନୀୟ ପ୍ରଶାସନର ବିଳମ୍ବତା ନେଇ ଆଞ୍ଚଳିକ ସେନା ଜାଗି ଉଠିଥିଲା ।

ଏନେଇ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ତରଫରୁ ସୋମବାର ଦିନ ଆଇନ ମନ୍ତ୍ରି, ଦେବୋତ୍ତର ବିଭାଗ, ଜିଲ୍ଲା ପାଳଙ୍କୁ ମନ୍ଦିର ଖୋଲିବା ସମେତ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଥିଲେ । ସେନା ଦାବିପତ୍ର ପ୍ରଦାନ କରିବାର ୩୬ ଘଣ୍ଟା ପରେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଗୁରୁବାର ଦିନ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି । ସେପଟେ ସାମଜିକ ଦୂରତ୍ୱ ରକ୍ଷା କରିବା ସହିତ ମାସ୍କ ବ୍ୟବହାର କରି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ରହିଥିବାର ଜଣାପଡିଛି । ମନ୍ଦିର ଖୋଲିବା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।