ଭୁବନେଶ୍ବର,୭/୧୨ : ଓଡ଼ିଶା ଧାର୍ମିକ କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥଳୀ ମା’ ତାରିଣୀଙ୍କ ପୀଠକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୩୧୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗରେ ଯାତ୍ରୀ ସୁବିଧା କେନ୍ଦ୍ର, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ତାରିଣୀ ପୀଠ ଗସ୍ତ କରିଥିଲେ। ଏହି ଅବସରରେ ସେ ମା’ ତାରିଣୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।
ମା’ ତାରିଣୀ ପଠୀ ଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେନ୍ଦୁଝର ଜିଲ୍ଲାର ପବିତ୍ର ମା’ ଘଟଗାଁ ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମା’ ଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା। ଦୀର୍ଘ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ପୀଠର ବିକାଶ ପାଇଁ ମୋର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା। କିନ୍ତୁ ଆଜି ମା’ଙ୍କ କରୁଣାରୁ ତାଙ୍କର ଏହି ପବିତ୍ର କାର୍ଯ୍ୟ ପାଇଁ ମୋତେ ସେବା କରିବାର ସୁଯୋଗ ମିଳିଛି। ମା’ଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭରସାରେ, ଆମେ ଏହି ପ୍ରକଳ୍ପ ପାଇଁ ୩୧୨ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରିଛୁ।
ମା’ ତାରିଣୀ ପ୍ରକଳ୍ପ ମାଧ୍ୟମରେ ଆମେ ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବୁ। ମୁଁ ବ୍ୟକ୍ତିଗତ ଭାବେ ଏହାର ତଦାରଖ କରିବି। ମା’ଙ୍କ ଇଚ୍ଛାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାରୁ, ଏଥିରେ ଅର୍ଥର ଅଭାବ କେବେହେଲେ ବାଧକ ସାଜିବ ନାହିଁ। ଏହି ଐତିହାସିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆପଣମାନଙ୍କର ଉପସ୍ଥିତି ଓ ବିଶାଳ ରୋଡ୍ ସୋ’ରେ ମୋତେ ମିଳିଥିବା ସ୍ନେହ, ମୋର ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି। ମୋତେ ଆଶୀର୍ବାଦ ଦେଇଥିବାରୁ ସମସ୍ତ କେନ୍ଦୁଝରବାସୀ ଓ ଭକ୍ତଗଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।