ମହାକାଶରେ ମହାଜାଗତିକ ଦୃଶ୍ୟ, ଆଜି ସନ୍ଧ୍ୟାରେ ଆକାଶରେ ୬ ଗ୍ରହଙ୍କ ‘ମହାମିଳନ’

ନୂଆଦିଲ୍ଲୀ, ୨୮/୦୨ : ମହାକାଶରେ ମହାଜାଗତିକ ଦୃଶ୍ୟ । ଆଜି ସନ୍ଧ୍ୟାରେ ଆକାଶରେ ୬ ଗ୍ରହଙ୍କ ‘ମହାମିଳନ’ । ସୌରମଣ୍ଡଳର ୬ଟି ଗ୍ରହ ଏକାଠି ଦେଖାଯିବେ । ବୁଧ, ଶୁକ୍ର, ବୃହସ୍ପତି, ଶନି, ୟୁରାନସ୍ ଓ ନେପଚ୍ୟୁନ ପଶ୍ଚିମ ଦିଗରେ ଏକ ଧାଡ଼ିରେ ଥିଲା ପରି ପ୍ରତୀୟମାନ ହେବେ । ମହାକାଶ ବିଜ୍ଞାନ ଭାଷାରେ ଏହାକୁ ‘ପ୍ଲାନେଟାରୀ ପେରେଡ୍’ ବା ଗ୍ରହମାନଙ୍କ ଶୋଭାଯାତ୍ରା କୁହାଯାଏ । କେଉଁ ସମୟରେ ଓ କେମିତି ଦେଖିବେ ? ବିଶେଷଜ୍ଞଙ୍କ ଅନୁଯାୟୀ, ସୂର୍ଯ୍ୟାସ୍ତର ଠିକ୍ ୩୦ ରୁ ୬୦ ମିନିଟ୍ ପରେ ପଶ୍ଚିମ ଆକାଶରେ ଏହି ଦୃଶ୍ୟ ସବୁଠାରୁ ସ୍ପଷ୍ଟ ଦେଖାଯିବ । ଶୁକ୍ର ଓ ବୃହସ୍ପତି ଅତି ଉଜ୍ଜ୍ୱଳ ଦେଖାଯାଉଥିବା ବେଳେ ଶନି ଓ ବୁଧଙ୍କୁ ମଧ୍ୟ ଖାଲି ଆଖିରେ ଦେଖିହେବ । ତେବେ ବୁଧ ଗ୍ରହ ଦିଗବଳୟର ନିକଟତର ହୋଇଥିବାରୁ ଏହାକୁ ଦେଖିବା ପାଇଁ ସ୍ୱଚ୍ଛ ଆକାଶ ଜରୁରୀ । ୟୁରେନସ୍ ଏବଂ ନେପଚୁନ୍ ଅତି ଦୂରରେ ଥିବାରୁ ଏମାନଙ୍କୁ ଦେଖିବା ପାଇଁ ବାଇନୋକୁଲାର୍ ବା ଟେଲିସ୍କୋପ୍ ବ୍ୟବହାର କରିବାକୁ ପଡ଼ିବ । ବାସ୍ତବରେ ଗ୍ରହମାନେ ମହାକାଶରେ ଏକ ସରଳ ରେଖାରେ ନଥାନ୍ତି । ଯେଉଁମାନେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି, ସେମାନେ ସହରର କୋଳାହଳ ଓ ଆଲୋକଠାରୁ ଦୂରରେ କୌଣସି ଖୋଲା ପଡ଼ିଆ ବା ଛାତ ଉପରକୁ ଯାଇପାରିବେ । ଆକାଶରେ ଗ୍ରହମାନଙ୍କ ସଠିକ୍ ଅବସ୍ଥିତି ଜାଣିବା ପାଇଁ ‘Stellarium’ ପରି ମୋବାଇଲ୍ ଆପ୍ ର ସାହାଯ୍ୟ ନିଆଯାଇପାରେ। ପୂର୍ବରୁ ୨୦୨୫ରେ ଏପରି ଦୃଶ୍ୟ ଦେଖାଯାଇଥିଲା । ପୁଣି ଥରେ ୬ଟି ଯାକ ଗ୍ରହଙ୍କ ଏକ ସଂପୂର୍ଣ୍ଣ ଲାଇନଅପ୍ ଦେଖିବା ପାଇଁ ୨୦୪୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।