ଆଜି ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

ଭୁବନେଶ୍ୱର, ୦୨/୦୮ : ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି । ଦୀର୍ଘ ଦିନଧରି ଲାଗିରହିଥିବା ଜଳ ବିବାଦର ସମାଧାନ ପାଇଁ ଆଜି ସଚିବ ସ୍ତରୀୟ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ଗତ ଜୁଲାଇ ୧୭ରେ ହୋଇଥିବା ଶୁଣାଣିରେ ଉଭୟ ଛତିଶଗଡ଼ ଓ ଓଡିଶାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଥିଲେ । ଏନେଇ ଆଡଭୋକେଟ୍ ଜେନେରୋଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ଆଜିର ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି । ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ପରେ ସଂଗଠନ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯିବ । ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇଥିବାରୁ ସନ୍ଦେହ ରହିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବେ ନା ନ୍ୟାୟିକ ଲଢ଼େଇ ଲଢ଼ିବେ? ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ । ଅଢେଇ କୋଟି ଜୀବନ ଜୀବିକା ମହାନଦୀ ସହ ଜଡିତ। ୨୦୧୭ ମସିହାରେ ଛତିଶଗଡ ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିଲା । ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି। ଏଣେ ଓଡ଼ିଶା ସରକାର ଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିପାରିନାହାନ୍ତି। କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଛନ୍ତି।
ମହାନଦୀକୁ ନେଇ ବିବାଦ ଲାଗି ରହିଥିଲେ ବି ଉପରମୁଣ୍ଡରେ ନୂଆ ପ୍ରକଳ୍ପ ଜାରି ରଖିଛି ଛତିଶଗଡ଼ । ତେଣୁ ଆଜିର ବୈଠକରେ ଓଡ଼ିଶା ସରକାର କେଉଁ ତଥ୍ୟ ରଖିବେ? ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ? ତା ଉପରେ ସମସ୍ତଙ୍କ ନଜର ରହିଛି ।